ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ବାଲିଯାତ୍ରା ମହୋତ୍ସବ । କୁଆଖାଇ ନଦୀ ପଠାରେ ହେବାକୁ ଥିବା ଏହି ବାଲିଯାତ୍ରାରେ ଚଳିତଥର ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ପ୍ରୟାସ କରାଯାଉଛି । ବିଭିନ୍ନ ଖାଦ୍ୟ ଷ୍ଟଲ, ଆସବାବପତ୍ର ଓ ଦୋଳି ଆଦିର ପସରା ଖୋଲିବାକୁ ଥିବାବେଳେ ଏଥିପାଇଁ ବ୍ୟବସାୟୀ ଷ୍ଟଲ ଖୋଲିବାକୁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି। ବାଲିଯାତ୍ରାରେ ସୁରକ୍ଷା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଉଛି । ସେହିଭଳି 250 ଜଣ ସ୍ଥାନୀୟ ଯୁବକଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ।
ଚଳିତ ଭୁବନେଶ୍ବର ବାଲିଯାତ୍ରାରେ 500ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିବ। ଏହା ସହିତ ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଦର୍ଶକଙ୍କୁ ଆକର୍ଷଣ କରିବ। ସେହିପରି ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି । ବାଲିଯାତ୍ରାର ପ୍ରଥମ ବର୍ଷରେ 40ଟି ଷ୍ଟଲ ଖୋଲାଯାଇଥିଲା ବେଳେ ଦ୍ୱିତୀୟ ବର୍ଷ 350 ଓ ଚଳିତ ବର୍ଷ ଏହି ଷ୍ଟଲ ସଂଖ୍ଯା 500କୁ ବୃଦ୍ଧି ପାଇଛି।
ସୁରକ୍ଷା ପାଇଁ ଯୁବକଙ୍କ ସମେତ ପୋଲିସ ଫୋର୍ସକୁ ନିୟୋଜିତ କରାଯିବ। ପୋଲିସ କମିଶନର ଭୁବନେଶ୍ୱର ବାଲିଯାତ୍ରା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ଯୋଗାଇ ଦେଇଥିବା ବେଳେ ବିଭିନ୍ନ ଗ୍ରାମର ଯୁବକଙ୍କୁ ନିୟୋଜିତ କରାଯିବ। ସୁରକ୍ଷାକୁ କଡାକଡି କରିବା ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ୱାଚ ଟାୱାର କରାଯାଇଛି। ସେହିପରି ଭୁବନେଶ୍ୱର, ପଟିଆ, ବାରଙ୍ଗରୁ ଆସୁଥିବା ଦର୍ଶକଙ୍କ ପାଇଁ 5ଟି ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ବାଲିଯାତ୍ରା ୯୨ଟି ଗ୍ରାମର ଯୁବପିଢି ଓ ପୁରୁଖା ଲୋକଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ