ଭୁବନେଶ୍ବର: ନାଚିଲେ,ଗାଇଲେ, ଝୁମିଲେ ଓ ଭୋଜିଭାତ କଲେ । ସବୁ ଶେଷରେ କୋଭିଡ୍ ନିୟମକୁ ଫୁ କରି ଉଡେଇ ଦେଲେ । ଭୁବନେଶ୍ୱରର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ନାମରେ ଆସିଛି ଏମିତି ସଙ୍ଗୀନ ଅଭିଯୋଗ । ଏହି ଅଭିଯୋଗ ନେଇ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚିଠି ଲେଖିଛନ୍ତି । ଜନ୍ମ ଦିନରେ ସାମାଜିକ ଦୂରତା ଉଲଙ୍ଘନ କରିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ପୁଣି କୋଭିଡ ନିୟମ ଉଲଙ୍ଘନ କରି ବିବାଦର ପରିସରକୁ ପଶି ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ନିଜର 52 ତମ ଜନ୍ମ ଦିବସ ପାଳନ ଅବସରରେ ଶତାଧିକ କର୍ମୀ ମହଲରେ ନାଚ ଗୀତ ସାଙ୍ଗକୁ ଭୋଜି କରୁଥିବା ଦେଖିବାକୁ ମିଳିଛି ।
ଏନେଇ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଦିବ୍ୟଶଙ୍କର ଲେଖିଛନ୍ତି ଯେ, ଅପରାଜିତାଙ୍କ ଏଭଳି ଆଚରଣ କୋରୋନା ଯୋଦ୍ଧାଙ୍କୁ ଅସମ୍ମାନ କରୁଛି ।ଏହାସହ ଅପରାଜିତା ବାରମ୍ବାର କୋଭିଡ୍ ନିୟମ ଉଲଙ୍ଘନ କରୁଥିବା ସେ ଚିଠିରେ ଦର୍ଶାଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ବାରମ୍ବାର ସାମାଜିକ ଦୂରତା କଥା କହୁଥିବା ବେଳେ ସାଂସଦ ଅପରାଜିତା ଏହାକୁ ଉଲଙ୍ଘନ କରୁଛନ୍ତି । ଏପରିକି ମାସ୍କ ନପିନ୍ଧି ଜନ୍ମ ଦିନରେ ଶୋଭାଯାତ୍ରା କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହାସହ ରାଜ୍ୟର କୋଭିଡ୍ ସ୍ଥିତି ନେଇ ମଧ୍ୟ ଅବଗତ କରାଇଛନ୍ତି । ସାସଂଦ ଅପରାଜିତାଙ୍କ ଏଭଳି କାର୍ଯ୍ୟ ଲୋକଙ୍କୁ ଅସୁବିଧାରେ ପକାଇବ ବୋଲି ଦିବ୍ୟଶଙ୍କର ଚିଠିରେ ଲେଖିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦର୍ଶାଇଛନ୍ତି । ଜଣେ ଲୋକପ୍ରତିନିଧି ଏବଂ ଜଣେ ଜାତୀୟ ପ୍ରବକ୍ତା ଏଭଳି ଆଚରଣ ଶୋଭନୀୟ ନୁହେଁ ବୋଲି ଲେଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ