ଭୁବନେଶ୍ୱର : କୋଭିଡ କଟକଣାରେ ସରିଲା ଐତିହାସିକ ଖଣ୍ଡଗିରି ମାଘ ମେଳା । ଆଉ ମେଳା ସରିବା ପରେ ଦୂର ଦୂରାନ୍ତରୁ ଛୁଟି ଆସିଥିବା ସାଧୁସନ୍ଥ ମାନେ ନିଜସ୍ଥାନକୁ ଫେରିଛନ୍ତି । ତେବେ ପ୍ରତିବର୍ଷ ଠାରୁ ଏବର୍ଷ ଏକ ଭିନ୍ନ ପରିବେଶ ଭିତରେ ଆୟୋଜନ ହୋଇଥିଲା ଏହି ମେଳା । କୋଭିଡ କଟକଣାରେ ବିନା ଯାନିଯାତ୍ରା ତଥା ଅପେରାରେ କେବଳ ପରମ୍ପରା ରକ୍ଷା କରିବା ଉଦ୍ଦେଶ୍ୟରେ ମେଳା ସମ୍ପନ୍ନ ହୋଇଛି । ଖଣ୍ଡଗିରି ପାଦଦେଶରେ ଗତ ୧୯ ତାରିଖରୁ ୯ ଦିନ ଧରି ଜପତପ ସାରି ଆଜି ଶେଷ ଦିନରେ ସେମାନଙ୍କର ଅନୁଭୂତି ବଖାଣିଛନ୍ତି ବାବା । ତେବେ ଏଥର ନାଗା ଡାକ୍ତର ବାବା ମୁଖ୍ୟ ଆକର୍ଷଣ ସାଜିଥିଲେ ।
ଖଣ୍ଡଗିରି ପାଦଦେଶରେ ଚାଲିଥିବା ଖଣ୍ଡଗିରି ମେଳା ଶେଷ ହେବା ସହ ଶେଷ ହୋଇଛି ସାଧୁସନ୍ଥ ସମାଗମ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ମେଳା ସମ୍ପନ୍ନ ହୋଇଛି । ଶେଷ ଦିନରେ ମଧ୍ୟ ଜପତପ ମନ୍ତ୍ରଧ୍ୱନୀରେ ଗୁଞ୍ଜରିତ ହୋଇଥିଲା ପରିବେଶ । ବିଶ୍ୱ ଶାନ୍ତି ପାଇଁ ଧୂନୀ ଜାଳିବା ସହ କୋଭିଡ ଭୟାଭୟରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି । ଏହାସହ ଯେଉଁ ବିଶ୍ୱାସ ରହିଛି, ମେଳାରେ ସାଧୁ-ଭକ୍ତଙ୍କ ମିଳନ ହୋଇଥାଏ, କଟକଣାରେ ଏଥର ତାହା ଅବଶୋଷ ରହିଥିବା ସେମାନେ କହିଛନ୍ତି । ତଥାପି ଶେଷ ଦିନର ଅପରାହ୍ନରେ ପୂର୍ଣ୍ଣାହୂତି ହୋଇ ମେଳାକୁ ଶେଷ କରାଯାଇଥିବା ବେଳେ ଜଗତର ମଙ୍ଗଳ କାମନା କରିଛନ୍ତି ସାଧୁ ।
ବିଶ୍ବାସ ରହିଛି ଖଣ୍ଡଗିରି ମାଘ ସପ୍ତମୀ ଅବସରରେ ତପସ୍ୟ କଲେ ବର୍ଷ ସାରାରୁ ଅଧିକ ପୂଣ୍ୟ ଅର୍ଜନ ହୋଇଥାଏ । ଆଉ ସେଥିପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ସତ୍ତ୍ୱେ ରାଜ୍ୟ ଓ ରାଜ୍ୟ ବାହାରୁ ସାଧୁସନ୍ଥ ମାନେ ଛୁଟି ଆସଥିଲେ । ତେବେ ଏହାସହିତ ଏଥର ନାଗା ଡାକ୍ତର ବାବା ମୁଖ୍ୟ ଆକର୍ଷଣ ସାଜିଥିଲେ । ଗଣମାଧ୍ୟମରୁ ଖବର ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗବ୍ୟାଧୀ କିମ୍ବା କୌଣସି ସମସ୍ୟାରେ ପଡିଥିବା ଭକ୍ତ ଡାକ୍ତର ବାବାଙ୍କ ପାଖକୁ ଉପଶମ ପାଇଁ ଆସିଥିଲେ । ଲମ୍ବା ଲାଇନରେ ଛିଡା ହୋଇ ନିଜ ସମସ୍ୟାର ସମାଧାନ ଦିଗରେ ପରାମର୍ଶ ନେଇଥିଲେ ।
ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ