ଭୁବନେଶ୍ବର: ବେଆଇନ ଭାବେ ଲିଙ୍ଗ ନିରୂପଣ କରିବା ମାମଲା (Illegal Sex detection) । ଆଉ ଜଣେ ଡାକ୍ତରଙ୍କୁ ୨ ବର୍ଷ ୩ ମାସ ସଜ୍ଜା । ବିନା ଲାଇସେନ୍ସରେ ରାଜଧାନୀରେ ଚାଲିଥିଲା ଅଲଟ୍ରାସାଉଣ୍ଡ କ୍ଲିନିକ । ଏଭଳି ବେଆଇନ କାର୍ଯ୍ୟ ଲାଗି ଡାକ୍ତର ରାଜକିଶୋର ସାହୁଙ୍କୁ ଦଣ୍ଡିତ କରିଛନ୍ତି ଭୁବନେଶ୍ବର ଜେଏମଏଫସି (JMFC) କୋର୍ଟ ।
ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଚଢାଉବେଳେ ସାମ୍ନାକୁ ଆସିଥିଲା ଏହି ଘଟଣା । ମାର୍କେଟ ବିଲ୍ଡିଂର କ୍ରିଷ୍ନା ଟାଓ୍ବାରରେ ରୁମ ନମ୍ବର ୧୨ରେ ବେଆଇନ ଭାବେ ରାଜକିଶୋର ଅଲଟ୍ରାସାଉଣ୍ଡ କ୍ଲିନିକ ଚଳାଉଥିଲେ । ଯେଉଁଠି ସେ ବେଆଇନ ଭ୍ରୁଣ ଲିଙ୍ଗ ନିରୂପଣ କରିବା ସହ ବିନା ଲାଇସେନ୍ସରେ ରିପୋର୍ଟ ଦେଉଥିଲେ । ଚଢାଉବେଳେ ଡାକ୍ତରଙ୍କ କାରନାମା ଧରାପଡିଥିଲା । ଏନେଇ କେସ୍ ହୋଇଥିଲା । ତେବେ ପିସିପିଏନଡିଟି (PCPNDT) ଆକ୍ଟର ଅବମାନନା ଆଧାରରେ ଡାକ୍ତର ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଏନେଇ ପ୍ରମାଣ ତଥ୍ୟ ସରକାରୀ ଏପିପି ବିଶ୍ବରଞ୍ଜନ ରାଉତଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ଜେଏମଏଫସି ସୁନିଳା ମିଶ୍ର ଡାକ୍ତର ରାଜକିଶୋର ସାହୁଙ୍କୁ ଜେଲ୍ ଦଣ୍ଡ ଶୁଣାଣି କରିଛନ୍ତି । ଏଥିସହ ୯୫୦୦ଟଙ୍କାର ଫାଇନ ମଧ୍ୟ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଡାକ୍ତରାଣୀ ନବନୀତା ପାଢୀ ଦଣ୍ଡିତ ହୋଇଥିଲେ । ତାଙ୍କୁ ଅଢେଇବର୍ଷ ଜେଲ ଦଣ୍ଡ ସହ ୯ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ଏହା ବି ପଢନ୍ତୁ- ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ମାମଲା, ଡାକ୍ତରଙ୍କୁ ଅଢେଇ ବର୍ଷ ଜେଲ
ତେବେ ୨୦୧୯ ମସିହା ଅଗଷ୍ଟ ୩୦ ତାରିଖରେ ଖୋର୍ଦ୍ଧା କଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବରର ବିଭିନ୍ନ କ୍ଲିନିକ ଓ ହସ୍ପିଟାଲରେ ବେଆଇନ ଗର୍ଭପାତ ହେଉଥିବା ନେଇ ଏକ ଡ୍ରାଇଭ ଆରମ୍ଭ ହୋଇଥିଲା । ଆଉ ସେତେବେଳେ ଜୟଦେବ ବିହାରରେ ଥିବା ଏକ କ୍ଲିନିକରେ ଏଭଳି ହେଉଥିବା ନେଇ ରେଡ୍ ହୋଇଥିଲା । ପ୍ରି-କନସେପ୍ସନ ପ୍ରି-ନାଟାଲ ଡାଇଗ୍ନୋସ୍ଟିକ ଟେକନିକ (PC-PNDT Act ) ୧୯୯୪ ଆକ୍ଟର ନିୟମ ଅନୁସାରେ ଡାକ୍ତରାଣୀ ନବନୀତା ପାଢୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।
ସୂଚନା ଥାଉ କି, କେବଳ ରାଜଧାନୀ ନୁହେଁ ସିଲଭରସିଟିରେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ଲଗାତାର ଭାବେ ସାମନାକୁ ଆସୁଛି । ଘରୋଇ କ୍ଲିନିକରେ ପିତାମାତା ହେବାକୁ ଥିବା ଦମ୍ପତିଙ୍କଠାରୁ ଅର୍ଥ ନେଇ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୂପଣ ହେଉଛି । ଏହାସହିତ ଗର୍ଭପାତ ମଧ୍ୟ କରାଯାଉଛି । ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଶାସନ ଲଗାତାର ଭାବେ ରେଡ୍ କରିବା ଆବଶ୍ୟକ ଥିବା ଦାବି ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର