ଭୁବନେଶ୍ବର: ହାବିଲଦାର ସ୍ୱାମୀ ନାଁରେ ଦ୍ଵିତୀୟ ପତ୍ନୀଙ୍କ ଅଭିଯୋଗ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଆଜି ସୁଦ୍ଧା ରିପୋର୍ଟ ଦେବେ ମହିଳା ଥାନା ଆଇଆଇସି । ତଦନ୍ତ ଆଧାରରେ ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମା ଶଙ୍କର ଦାସ କହିଛନ୍ତି ।
ସୂଚନାଅନୁସାରେ, ଧଉଳି ଥାନା ହାବିଲଦାର ସଦାଶିବ ସ୍ବାଇଁ ପ୍ରଥମ ବିବାହ କରିଥିଲେ । ପ୍ରଥମ ବିବାହର ଛାଡ଼ପତ୍ର ନ ଦେଇ ଏହାପରେ ବାସନ୍ତୀ ସ୍ବାଇଁ ନାମକ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ବାସନ୍ତୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । କେସ ନମ୍ବର ୦୦୯/୨୦୨୨ରେ ଆଜି ଖାକି ବାବୁ ଜଣଙ୍କୁ ବାନ୍ଧିଛି ପୋଲିସ । ଘଟଣା ନେଇ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହାବିଲଦାରଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି କମିଶନରେଟ ପୋଲିସ ।
ଏହାବି ପଢନ୍ତୁ :ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା, ଗିରଫ ହେଲେ ହାବିଲଦାର
ତେବେ କଣ ବାସ୍ତବ ଘଟଣା ତାହା ତଦନ୍ତ ପରେ ଜଣାପଡିବ । ମହିଳାଙ୍କୁ ସୁରକ୍ଷା ନେଇ ରାଜ୍ୟରେ ମାଳ ମାଳ ବ୍ୟବସ୍ଥା । ହେଲେ ଏଠି ଖୋଦ ଜଣେ ପୋଲିସ କର୍ମଚାରୀଙ୍କ ଏପରି କାର୍ଯ୍ୟକଳାପ ମହିଳାଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଜଣେ ପୋଲିସ ହୋଇ ଏପରି କାଣ୍ଡ ଘଟାଇବା ଗ୍ରହଣୀୟ ନୁହେଁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ