ଭୁବନେଶ୍ବର: ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ ଏସପିଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ନ୍ୟାୟ ନମିଳିବା ଅଭିଯୋଗରେ ଆଜି(ମଙ୍ଗଳବାର) ବିଧାନସଭା ସମ୍ମୁଖରେ ପରୀର ବାପା ଓ ମାଆଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଝିଅକୁ ନ୍ୟାୟ ନ ମିଳିବାରୁ ପରୀର ବାପା ମାଆ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ କମିଶନରେଟ ପୋଲିସ ଉପସ୍ଥିତ ରହି ଦମ୍ପତିଙ୍କୁ ସୁରକ୍ଷିତ ଭାବରେ କାବୁ କରିବାକୁ ସକ୍ଷମ ହୋଇଥିଲା।
ଘଟଣା ପରେ ପରୀର ବାପା ଓ ମାଆଙ୍କୁ କାଉନସିଲିଂ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିଲା। ସେଠାରେ ଦୁହିଁଙ୍କ ଚିକିତ୍ସା ପରେ ସେମାନଙ୍କୁ ନୟାଗଡକୁ ପଠାଇ ଦିଆଯାଇଛି। ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ନୟାଗଡ଼ ଏସପିଙ୍କ ସହ କଥା ହେବା ସହ ଆଜି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରୀ ହତ୍ୟାକାଣ୍ଡ ମାମଲାରେ ଆଲୋଚନା କରିଥିଲେ।
ଗତ ଜୁଲାଇ ମାସରେ ପରୀ ଘର ବାହାରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ତାକୁ ଅପହରଣ କରି ନେଇ ଯାଇଥିଲେ। ଘଟଣାର 6 ଦିନ ପରେ ପରୀର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଅପହରଣ କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବାବୁଲି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧ ଅଭିଯୋଗ କରିଛନ୍ତି ପରୀର ବାପା ଓ ମାଆ। ଏହି ଘଟଣାକୁ ନେଇ ପୋଲିସ ଥାନା, କୋର୍ଟ, ବିଧାୟକ ଓ ମନ୍ତ୍ରୀଙ୍କ ଦ୍ବାରସ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ବିଫଳ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ