ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆଜି ଠାରୁ ରାଜ୍ୟ ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ଚଳଚଞ୍ଚଳ ସମସ୍ତ ମନ୍ଦିର ପରିସର । କିଛିଦିନର ବ୍ୟବଧାନ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ । ଦୁଇ ଡୋଜ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି । ସେହିପରି 15 ବର୍ଷରୁ କମ ବୟସର ପିଲାଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିଛି । ତେଣୁ ପରିବାର ସହ ମନ୍ଦିରକୁ ଆସି ପିଲାମାନେ ଦର୍ଶନ କରିଛନ୍ତି । ବରିଷ୍ଠ ନାଗରିକ ଓ ଗର୍ଭବତୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି । ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।
ଏପଟେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏକାକାଳୀନ 100 ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବିଏମସି ଅନୁମତି ଦେଇଛି । ସେହିପରି କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ଧର୍ମାନୁଷ୍ଠାନକୁ ବିଏମସି ନିର୍ଦ୍ଦେଶ ଦେଇଛି । ରାଜ୍ୟରେ ସଂକ୍ରମଣର ହାର ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନେଇଛି ବିଏମସି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ