ଭୁବନେଶ୍ବର: ରାଜଧାନୀରେ ଜେଇଇ-ନିଟ୍ ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଠାରେ 16 ହଜାର ପିଲା ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି ।
ସବୁ କେନ୍ଦ୍ରରେ ମୋବାଇଲ ଟିମ୍, ପୋଲିସ ଟିମ୍, ସାନିଟାଇଜିଂ ବ୍ୟବସ୍ଥା ରହିବା ସହ ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହୋଇଛି । ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପରୀକ୍ଷା ସମ୍ପର୍କିତ ସମସ୍ୟା ସମାଧାନ କରାଯିବ। ତଥା କେନ୍ଦ୍ର ବାହାରେ ଭିଡକୁ ଏଡାଇବା ପାଇଁ ମାଇକ ଯୋଗେ ସଚେତନ କରାଯିବ ବୋଲି ଜଣାପଡିଛି । ସେହିପରି ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି ବିଏମସି କମିଶନର କହିଛନ୍ତି ।
ସେପଟେ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେନ୍ଦ୍ର ଭିତରେ ଓ କେନ୍ଦ୍ର ବାହାରେ ଏବଂ ଟ୍ରାଫିକ ପାଇଁ ସ୍ବତନ୍ତ୍ର ପୋଲିସ ମୁତୟନ କରାଯିବା ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଏହାସହ ବିଭିନ୍ନ ଜିଲ୍ଲାରୁ ବସ୍ ଯୋଗେ ପରୀକ୍ଷା ଦେବାକୁ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯେପରି କୌଣସି ବାଧକ ସୃଷ୍ଟି ରହିବ ନାହିଁ ସେ ଦିଗରେ ଧ୍ୟାନ ଦିଆଯାଇଛି ।
କେନ୍ଦ୍ର ବାହାରେ ଅଟୋ ରିକ୍ସା ଓ କ୍ୟାଡର ମୁତୟନ କରାଯିବା ନେଇ ସେମାନଙ୍କ ସଂଘକୁ କୁହାଯାଇଛି । ଯିବାଆସିବାରେ କୈାଣସି ଅସୁବିଧା ହେବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।
ତେବେ ରାଜଧାନୀରେ ମୋଟ 6ଟି ପରୀକ୍ଷା କେନ୍ଦ୍ର ଓ ରହଣି ପାଇଁ 8ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସମସ୍ତ ରହଣି କେନ୍ଦ୍ରରେ ସ୍ବତନ୍ତ୍ର କୋଭିଡ ନୀରିକ୍ଷକ ରହିବେ । ଜେଇଇ ଓ ନିଟ୍ ପରୀକ୍ଷା ପରିଚାଳନା ପାଇଁ ବିଏମସିରେ ବସିଥିବା ମିଳିତ ସମନ୍ବୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଏସପି, ଭୁବନେଶ୍ବର ସରକାରୀ ଆଇଟିଆଇ ଅଧ୍ୟକ୍ଷା, ପରିବହନ ଅଧିକାରୀ ଓ ବରିଷ୍ଠ ସରକାରୀ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ