ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆସନ୍ତାକାଲି(ବୁଧବାର) 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ବାଧିନ ଫେଡେରେସନ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ବନ୍ଦ ବେଳେ ଯେପରି କୌଣସି ହିଂସା କିମ୍ବା ଜନଜୀବନ ହାନି ନ ହେବ ସେଥିପାଇଁ 15 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଏଥିସହ ଆଲର୍ଟ ରହିବେ ସିନିୟର ଅଫିସର । ରେଳ ଷ୍ଟେସନ ଓ ଜାତୀୟ ରାଜପଥରେ କୌଣସି ବାଧା ନ ଉପୁଜାଇବାକୁ ବିଶେଷ ଧ୍ୟାନ ଦିଆଯିବ । ବିଭିନ୍ନ ଛକ ଓ ଟ୍ରାଫିକ ସିଗନାଲରେ ମୁତୟନ ରହିବେ ଷ୍ଟ୍ରାଇକିଂ ଫୋର୍ସ । ପିକେଟିଂ ଓ ବନ୍ଦ ପାଳନ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ସରକାରୀ କାର୍ଯ୍ୟାଳୟ ଆସୁଥିବା ତଥା ପରିକ୍ଷା ଦେବାକୁ ଆସୁଥିବା ପରିକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯିବ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଗସ୍ତ ନେଇ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ