ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନ ପରିସରରେ ବିଡିଏ(ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ)ର 37ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜଧାନବାସୀଙ୍କୁ 1 ଲକ୍ଷ ଘର ଯୋଗାଇବେ ସରକାର । ଯାହାକି ଭୁବନେଶ୍ବର ଉନ୍ନୟନ ପରିଷଦ ମାଧ୍ୟମରେ ବଣ୍ଟନ କରାଯିବ । ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଗ୍ରାମାଞ୍ଚଳରୁ ଲୋକମାନେ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଉଚିତ୍ ବାସଗୃହ ମିଳୁନଥିବାରୁ ସେମାନେ ବସ୍ତି ଓ ବେଆଇନ ଜବରଦଖଲ କରି ବାସସ୍ଥାନ କରୁଛନ୍ତି । ସହରରେ ସେମାନଙ୍କୁ ଚାହିଦା ଅନୁସାରେ ବାସଗୃହ ଯୋଗାଇ ଦେବାକୁ ବିଡିଏ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ସେହିପରି ସହରକୁ ଏକ ସରସ ସୁନ୍ଦର କରିବା ପାଇଁ ରାଜଧାନୀବାସୀ ସେମାନଙ୍କ ମତାମତ ଦେଲେ ତାହାକୁ ବିଚାରକୁ ନିଆଯାଇ କାର୍ଯ୍ୟକାରୀ କରାଯିବ । ଦେଶରେ ଭୁବନେଶ୍ବର 1 ନମ୍ବର ସ୍ମାଟସିଟିର ପରିଚୟ ପାଇଥିବାରୁ ତାହାକୁ ବଜାୟ ରଖିବା ପାଇଁ ଉଭୟ ବିଏମସି ଓ ବିଡିଏ କର୍ତ୍ତୃପକ୍ଷ ମିଳିମିଶି ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ବାନ କରିଛନ୍ତି । ଯେଉଁ କାରଣରୁ ବିଡିଏକୁ କ୍ରିୟାଶୀଳ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି ।
ଆବଶ୍ୟକ ପଡିଲେ ଏହି କ୍ଷେତ୍ରରେ କର୍ମଚାରୀଙ୍କ ଇନସେଣ୍ଟିଭ୍ ବୃଦ୍ଧି କରିବା ସହିତ ଭଲ କାମ କରୁଥିବା କର୍ମଚାରୀଙ୍କୁ ଡବଲ ପ୍ରମୋସନ ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସହରାଞ୍ଚଳରେ ବସ୍ତି ସମସ୍ୟା ଏକ ବୃହତ୍ତ ସମସ୍ୟା ହୋଇଥିବା ବେଳେ ତାହାର ପରିଚାଳନା ପାଇଁ ବିଶେଷ ଧ୍ୟାନ ଦିଆଯିବା ସହିତ ସହରର ସମସ୍ତ ଲୋକଙ୍କ ଘରେ ଫିଲ୍ଟର ପାଣି ପହଞ୍ଚାଇବା ପାଇଁ ପ୍ରୋଜେକ୍ଟ ଆରମ୍ଭ ହେଉଥିବା ଜଣାପଡ଼ିଛି । ଖୋର୍ଦ୍ଧାରେ ହାଟ, ବରମୁଣ୍ଡାରେ ବସ ଟର୍ମିନାଲ, ଏବଂ ରାଜଧାନୀର ରାସ୍ତାକୁ ଫୁଲ ମାଧ୍ୟମରେ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟକ୍ରମ ବିଡିଏ ଗ୍ରହଣ କରିଥିବା ଜଣାପଡିଛି ।
ପ୍ରତିଷ୍ଠା ଦିବସ ଅବସରରେ ବିଡିଏ ଅଧକ୍ଷ ଜି ମାଥିଭାଥାନନ ବିଡିଏ ଅଞ୍ଚଳରେ ପାର୍କ ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ଆସନ୍ତା 10ବର୍ଷ ପାଇଁ ହାଉସିଂ ପ୍ରକଳ୍ପ ନିର୍ମାଣ ସହିତ ଜନସାଧାରଣଙ୍କୁ ସମସ୍ୟା ସମାଧାନ ଉପରେ କାର୍ଯ୍ୟ କରିବା ମୁଖ୍ୟ ଏଜେଣ୍ଡା ରହିବ ବୋଲି କହିଛନ୍ତି । ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ ଓ ସଚିବ ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ବିଡିଏର କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଏହାର ନାମକୁ ଉଜ୍ଜ୍ବଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର ଅନୁଯାୟୀ କାର୍ଯ୍ୟ କରିବାକୁ ମନ୍ତ୍ରୀ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଛନ୍ତି । ବିଡିଏ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବି ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ବିଡିଏର ବାର୍ଷିକ ରିପୋର୍ଟ ପ୍ରକାଶିତ ହେବା ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ନମ୍ବର ରଖି ପାସ କରିଥିବା ବିଡିଏର କର୍ମଚାରୀଙ୍କ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ