ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣା । ଡିସିପି ଅଫିସରେ ଅଭିଯୋଗ ଆଣିଲା କଂଗ୍ରେସ । ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ ନେତୃତ୍ବରେ ଏକ ଟିମ ଡିସିପି ଅଫିସରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଆକ୍ରମଣ ପଛରେ ବିଜେପିକୁ ଦୋଷ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।
ରବିବାର ସେ କେନ୍ଦୁଝର ଗସ୍ତ କରିଥିବାବେଳେ 4ରୁ 5 ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ସୁରକ୍ଷା ଦେବାକୁ ଯାଇ ବାହାରକୁ ଆସିଥିବା ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନିରଞ୍ଜନଙ୍କ ଉପସ୍ଥିତିରେ ଥାନାରେ ଅଭିଯୋଗ କରାଯାଇଛି । ଦୁର୍ବୃତ୍ତ ବିଜେପିର ଲୋକ ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ଓଡିଶା ବିଜେପି ସଭାପତି ସମୀର ମହାନ୍ତି ଓ ଓଡିଶା ପ୍ରଭାରୀ ପୁରନ୍ଦେଶ୍ବରଙ୍କୁ ପ୍ରଶ୍ନ ପଚାରି ବିଜେପି କାହିଁକି ଭୀରୁତା ପରି ବ୍ୟବହାର କରୁଛି । ଓଡିଶା କଂଗ୍ରେସର ପ୍ରତି ଭୟ ରହିଛି, ହେଲେ ଏଥିପାଇଁ ଗୁଣ୍ଡା ପଠାଇବା କେତେ ଦୂର ଯୁକ୍ତିଯୁକ୍ତି ବୋଲି ପଚାରିଛନ୍ତି । ତେବେ ଗଣତନ୍ତ୍ର ଉପାୟରେ ବିଜେପି ଲଢେଇ କରିବାକୁ ଅସମର୍ଥ ବୋଲି ସେ କହିଥିଲେ ।
ଏହାସହ ସେ ଆକ୍ରମଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଯଦି ତାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରାଯାଉଛି ତେବେ ରାଜ୍ୟର ନାରୀ କେତେ ସୁରକ୍ଷିତ ବୋଲି ଏଥିରୁ ସ୍ପଷ୍ଟ ହୋଇଛି ବୋଲି ନିରଞ୍ଜନ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ