ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନରେ ସୁରୁଖୁରୁରେ ଚାଲି ପାରୁନି ଗୃହ । ବାରମ୍ବାର ମୁଲତବୀ ହେଉଛି । ଅଚଳ ହୋଇପଡୁଛି ଗୃହ କାର୍ଯ୍ୟ । ତେବେ ଏହାକୁ ନେଇ ଦୁଇ ବିରୋଧୀ ଦୋଷ ଲଦାଲଦି ହେଉଛନ୍ତି । ଗୃହ ନଚାଲିବା ନେଇ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବାବେଳେ ଏହାର ଜବାବ ଦେଇଛି ବିଜେପି ।
ପରୀ ପ୍ରସଙ୍ଗରେ ବିଜେପି, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ କରୁଛି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହେଉଛି । ତେବେ ବିଜେପି ଓ ବିଜେଡି ଗୋଟିଏ ଟଙ୍କାର ଦୁଇ ପାର୍ଶ୍ବ ଦର୍ଶାଇ ଗୁରୁତ୍ବପୂର୍ଣ୍ଣ ଆଲୋଚନାକୁ ଟାଳିବାକୁ ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ନଚାଲିବା ନେଇ ବିଜେପିକୁ ଦୋଷ ଦେବା ସହ ଏଭଳି ଅଭିଯୋଗ କରିଛନ୍ତି ।
ସେପଟେ ଏହାର ଜବାବ ଦେଇଛି ବିଜେପି । ପରୀ ମୃତ୍ୟୁ ଘଟଣାରେ ସରକାରଙ୍କ ପଦକ୍ଷେପରେ କିପରି କଂଗ୍ରେସ ସନ୍ତୁଷ୍ଟ ହେଲା ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହ ଗୋଟିଏ ବିରୋଧୀ ଦଳ ହୋଇ ଅନ୍ୟ ବିରୋଧୀ ଦଳ ବିରୋଧରେ କିପରି ସ୍ଲୋଗାନ ଦେଇପାରିଲା ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ଏଥିରୁ କଂଗ୍ରେସର ଚରିତ୍ର ଜଣାପଡୁଛି ବୋଲି ସେ କହିଛନ୍ତି ।
ସୂଚନାଥାଉକି, ନୟାଗଡ ପରୀ ମୃତ୍ୟୁ ମାମଲାକୁ ନେଇ ସରକାର ଏସଆଇଟି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଘଟଣାରେ କୃଷିମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ଇସ୍ତଫା ଦାବିରେ ରହିଛି ବିଜେପି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହେଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ