ଭୁବନେଶ୍ବର: ସର୍ବ ଭାରତୀୟ ସ୍ତରରେ ଆର୍ମି ପରୀକ୍ଷାକୁ ନେଇ ରାଜଧାନୀରେ ବାହାର ରାଜ୍ୟର ହଜାର ହଜାର ଯୁବକ ଡେରା ପକେଇଲେଣି । ଭୁବନେଶ୍ବରରେ ଥିବା ୧୨୦ ବାଟାଲିୟନ ନିକଟରେ ହେବ ଶାରୀରିକ ପରୀକ୍ଷା । ଏହି ପରୀକ୍ଷାରେ ଭାଗ ନେବା ପାଇଁ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଯୁବକଙ୍କ ସୁଅ ଛୁଟୁଛି ।
ତେବେ ଏତେ ସଂଖ୍ୟକ ଯୁବକଙ୍କ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନାହି । କିଏ ଷ୍ଟେସନରେ ତା ଆଉ କିଏ ବସ ଷ୍ଟାଣ୍ଡରେ କାଟୁଛନ୍ତି ରାତି । ଏମିତିକି ପାର୍କ ଓ ରାସ୍ତା କଡ଼, ଡ୍ରେନ ଉପରେ ମଧ୍ୟ ଶୋଇରହୁଛନ୍ତି । ଆଉ କିଏ କିଏ ମନୋରଞ୍ଜନ କରି ସମୟ ଅତିବାହିତ କରିବା ପାଇଁ ବିଭିନ୍ନ ପ୍ରକାରର ଗେମ ଖେଳୁଛନ୍ତି ।
ପ୍ରତି ମୁହୂର୍ତ୍ତରେ ଏହି ପରୀକ୍ଷାର୍ଥୀମାନେ ବିପଦକୁ ସାମ୍ମନା କରିଥାନ୍ତି । କେତେବେଳେ ଅସାମାଜିକ ଯୁବକ ମାନେ ଧମକ ଦେଉଥିବା ବେଳେ ଆଉ କେତେବେଳେ ଶୋଇବା ଖାଇବା ଓ ନିତ୍ୟକର୍ମ ସାରିବାକୁ ଅସୁବିଧା ପରିଲକ୍ଷିତ ହେଉଛି।
ରାଜ୍ୟ ବାହାରୁ ଆସିଥିବା ପରୀକ୍ଷାର୍ଥୀ ମାନେ କୁହନ୍ତି ଯେ, ଯେହେତୁ ଏଠି ଏକ ଜାତୀୟସ୍ତରର ପରୀକ୍ଷା କରାଯାଉଛି ତେଣୁ ପ୍ରଶାସନ ପିଲାଙ୍କ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ।
ବାହାର ରାଜ୍ୟରୁ ଖାଇବା ପିଇବା ପାଇଁ ଦୋକାନୀ ଦୁଇ ଗୁଣା ଟଙ୍କା ନେଉଥିବା ବେଳେ ରାତିରେ ଅସାମାଜିକ ଯୁବକ ମାନେ ହଇରାଣ କରିବା ସହ ଜିନିଷ ଚୋରି ହେଉଥିବା କହିଛନ୍ତି। ଅନେକ ଯୁବକ ପରୀକ୍ଷା ଦେବା ପାଇଁ ବାରମ୍ବାର ଆସୁଥିବା ବେଳେ କିଛି ଯୁବକ ନୂଆ କରି ଆସିଛନ୍ତି । ରେଳ ଷ୍ଟେସନରେ ରହିଲେ ପୋଲିସ ବାଡ଼େଇକି ବାହାର କରିଦେଉଥିବାରୁ ବାଧ୍ୟ ହୋଇ ରାଜରାସ୍ତାରେ ରହୁଛନ୍ତି ଯୁବକ ମାନେ ।
ଏହା ଛଡା ଯେହେତୁ ସୋମବାର, ମଙ୍ଗଳବାର ଓ ବୁଧବାର ପରୀକ୍ଷା ରହୁଛି ସେଥିଲାଗି ଆଉ ଅନେକ ପିଲା ଆସିପାରନ୍ତି । ତେବେ ରାତି ସମୟରେ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ବୋଲି କୁହନ୍ତି ପରୀକ୍ଷାର୍ଥୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ