ଭୁବନେଶ୍ବର: ରାଜ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ । ୫-ଟି ହାଇସ୍କୁଲ ଟ୍ରାନସଫରମେସନ କାର୍ଯ୍ୟକ୍ରମରେ ୧ ହାଜର ୭୫ ଟି ସ୍କୁଲର ରୂପାନ୍ତର ପରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଜି ଏକା ଥରକେ 6 ହଜାର 131 ଜଣ ଶିକ୍ଷକଙ୍କୁ ନିଯୁକ୍ତି (Odisha CM Naveen Patnaik Appointment 6,131 teachers) ଦେଇଛନ୍ତି । ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ରେକର୍ଡ ।
ରାଜ୍ୟର ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି । ସାରା ରାଜ୍ୟର ସବୁ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ । ପ୍ରଥମ ପର୍ଯ୍ୟାୟର ୫-ଟି ହାଇସ୍କୁଲ ଟ୍ରାନସଫରମେସନ କାର୍ଯ୍ୟକ୍ରମରେ ୧୦୭୫ ଟି ସ୍କୁଲର ରୂପାନ୍ତରିତ ହୋଇଛି । ପରେ ଆଜି ଏକା ଥରକେ 6 ହଜାର 131 ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଅନୁସାରେ 47 ଦିନ ମଧ୍ୟରେ 6 ହାଜର 131 ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଯେଉଁଥିରେ 2 ହାଜର 236 ଜଣ କଳା ଶିକ୍ଷକ, 1 ହଜାର 779 ବିଜ୍ଞାନ, 829 ହିନ୍ଦୀ, 796 ସଂସ୍କୃତ ଓ କ୍ରୀଡା ଶିକ୍ଷକ ଓ 3 ଜଣ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ orientation କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ, ଶିକ୍ଷା ହେଉଛି ସମାଜର ସାମୂହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ । ଶିକ୍ଷା ବ୍ୟବସ୍ଥାର ଆତ୍ମା ହେଉଛନ୍ତି ଶିକ୍ଷକ । ଆମର ଭବିଷ୍ୟତ ପୀଢି ତଥା ନୂଆ ଓଡିଶା ଗଠନ ପାଇଁ ଆରମ୍ଭ ହୋଇଥିବା ରୂପାନ୍ତରରେ ଶିକ୍ଷକ ମାନେ ସଫଳ ସହଯୋଗୀ ଭାବରେ ଦାୟିତ୍ବ ତୁଲାଇବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା । ସେମାନଙ୍କର କଳ୍ପନାକୁ ଶକ୍ତି ଦେବା । ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ବାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜରେ ଶିକ୍ଷକ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ବ ବହନ କରେନାହିଁ । ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟି ହାଇସ୍କୁଲ ଟ୍ରାନସଫରେମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୧ ହଜାର ୭୫ ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ରହିଛି । ଏଥିପାଇଁ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି । ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନକୁ ସାକାର ରୂପ ଦେବାପାଇଁ ସବୁପ୍ରକାର ସୁଯୋଗ ଦିଆଯାଇଛି । ଶିକ୍ଷାଦାନ ପ୍ରତି ଶିକ୍ଷକ ମାନଙ୍କର ପ୍ରତିବଦ୍ଧତା, ପିଲାମାନଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତାର ଶିଡି ଚଢିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର ହିଁ ନୂଆ ଓଡିଶାର ସ୍ବପ୍ନ ସାକାର କରିବ ବୋଲି ମତ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସଙ୍କ ସହ ଭବାନୀ ଶଙ୍କର ଦାସ, ଇଟିଭି ଭାରତ