ଭୁବନେଶ୍ବର: ଓଡିଶାରୁ ଲୋପ ପାଇଯିବେ କି ବାଘ ମାମୁଁ ? ବାଘ ମୁକ୍ତ ହେବ କି ଓଡିଶା ଜଙ୍ଗଲ ? କାରଣ ଏସଟିଏଫର ବନ୍ୟପ୍ରାଣୀ ତସ୍କରୀ ଅଭିଯାନ ଆରମ୍ଭ ପରଠୁ ରାଜ୍ୟରୁ ଏଯାବତ୍ ୧୮ ଟି ବାଘ ଛାଲ ଜବତ ହୋଇସାରିଲାଣି । ଆଗକୁ ଏହିଭଳି ଭାବେ ବାଘ ଶିକାର ହେଲେ ସେ ଦିନ ଦୂର ନୁହେଁ ଯେବେ ଓଡିଶା ଜଙ୍ଗଲରୁ ସବୁ ଦିନ ପାଇଁ ଲୋପ ପାଇଯିବେ ବାଘ ।
ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢୁଥିବାବେଳେ ଇତିମଧ୍ୟରେ ଆଉ ଏକ ବାଘ ଛାଲ ବ୍ୟବସାୟୀ ଧରାପଡିଛି । ବୌଦ୍ଧ ମନମୁଣ୍ଡା ଫରେଷ୍ଟ ଡିଭିଜନ କପାଶିରା ଜଙ୍ଗଲରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଅଭିଯୁକ୍ତର ନାମ ଜୀବର୍ଦ୍ଧନ ଭୋଇ । ଓ୍ବାଇଲ୍ଡ ଲାଇଫ ଆକ୍ଟରେ ତାକୁ ଗିରଫ କରାଯିବା ସହ ତା' ନିକଟରୁ ଦୁଇଟି ବାଘ ଛାଲ ଜବତ କରାଯାଇଛି । କେଉଁଠୁ ବାଘ ଛାଲ ଆସିଲା ଓ କିଏ ଶିକାର କଲା ସେନେଇ ତଦନ୍ତ ଜାରି ରଖିଛି ଟିମ୍ ।
ସୂଚନା ଅନୁଯାୟୀ, ଏଯାବତ୍ ରାଜ୍ୟରୁ ୧୮ଟି ବାଘ ଛାଲ ସହ ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା ଛାଲ ଜବତ ହୋଇଛି । ଏଥିସହ ଏହିସବୁ ମାମଲାରେ ମୋଟ ୩୬ ଜଣଙ୍କୁ ଗିରଫ ହୋଇଛନ୍ତି । ତେବେ ରାଜ୍ୟରେ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ତସ୍କରୀ ନେଇ ନଜର ରଖିଛି STF ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ