ଭୁବନେଶ୍ବର: ମଣିଷ ପୃଥିବୀର ସର୍ବଶ୍ରେଷ୍ଠ ଜୀବ । ସମୟ ଅତିକ୍ରାନ୍ତେ ଆଖପାଖରେ ରହୁଥିବା ଜୀବଜନ୍ତୁଙ୍କ ସହ କରିଚାଲିଛି ଅତ୍ୟାଚାର । ସେମାନେ ତା ପରି କଥା କହିପାରୁନାହାନ୍ତି ସତ । ନିରବତା ହିଁ ସେମାନଙ୍କ ସ୍ବର ପାଲଟିଛି । ସ୍ବତଃ କହୁଛନ୍ତି, ହେ ମଣିଷ ତୁମେ କେତେ ନିର୍ଦ୍ଦୟ । ସାମାନ୍ୟ ଟିକିଏ ଆନନ୍ଦ ପାଇଁ ଆମ ଜୀବନ ସହ ଖେଳୁଛ ।
ଆଧୁନିକତା ସାଙ୍ଗକୁ ବଢିଚାଲିଛି ମଣିଷର ପାଶବିକତା । ପଶୁଟିଏ ଆଜି ତା ହାତର ଖେଳନା ପାଲଟିଛି । ନିଜ ଆନନ୍ଦର ମାଧ୍ୟମ କରିଛି ନିରୀହ ପଶୁଟିକୁ । କାହାର ଜୀବନ ନେଇ ନିଜେ ହସୁଛି ତ ତାହାକୁ ବନ୍ଦୀ କରି ମଜା ନେଉଛି । ଯାହା ଦେଖିବାକୁ ମିଳୁଛି ସୋସିଆଲ ମିଡିଆ ସମେତ ଦେଶର ବିଭିନ୍ନ ଘଟଣାରୁ । କୁକୁର ବିଲେଇ ମାଙ୍କଡ ଠୁ ଆରମ୍ଭ କରି ସରୀସୃପ ପର୍ଯ୍ୟନ୍ତ କେହି ବି ବାଦ ପଡୁନାହାନ୍ତି ଏଥିରୁ । ଗତ କିଛିଦିନ ତଳେ କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଖୁଆଇବା କଥା ହେଉ ଅବା ହିମାଚଳରେ ଗାଈକୁ ଅତ୍ୟାଚାର । ସବୁଠି ସୀମା ଲଙ୍ଗିଛି ବର୍ବରତା । ରାଜ୍ୟରେ ବି ଦେଖାଯାଇଛି ଏମିତି ଅନେକ ଘଟଣା ।
ଗତବର୍ଷ ନଭେମ୍ବର ୧୮ ତାରିଖର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ଟି କୁକୁର ଛୁଆ ଉପରେ ଗାଡି ଚଢାଇ ଦେଇଥିଲା ଦୁର୍ବୃତ୍ତ । କ’ଣ କରିଥିଲା ନିଷ୍ପାପ କୁକୁର ଶାବକ? ମଣିଷର ବର୍ବରତାରେ ସେମାନେ କେବଳ ନିରବ ମୃତ୍ୟୁକୁ ଆପଣାଇ ନେଇଥିଲେ । ସାମନ୍ତରାପୁର ଅଞ୍ଚଳରେ ଜଣେ ମହିଳାଙ୍କ ମାଡରେ ଗୋଟିଏ ଗର୍ଭବତୀ କୁକୁରର ମୃତ୍ୟୁ ହୋଇଥିଲା । ଫଳରେ ଗର୍ଭବତୀ ଥିବା କୁକୁର ସହ ପ୍ରାଣ ହାରିଲେ ଶାବକ । ସେହିପରି ମେ ୧୭ ତାରିଖରେ ଇନଫୋସିଟି ଥାନା ଅଞ୍ଚଳରେ କୁକୁର ସହ ସିକ୍ୟୁରିଟି ଗାର୍ଡ କରିଥିଲେ ଦୁଷ୍କର୍ମ । ଯାହା ଅମାନବିକତାର ସୀମା ଲଙ୍ଘନ କରିଥିଲା । ସବୁଥିରେ ଦୋଷୀମାନଙ୍କୁ ଗିରଫ କରାଯାଇଛି । ହେଲେ କୋହଳ ଆଇନ ପାଇଁ ଖସିଯାଇଛନ୍ତି ଦୋଷୀ । ଜୀବଜନ୍ତୁମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରସ୍ତୁତ ହେବା ଦରକାର ବୋଲି ଏଡବ୍ଲୁଟିଇ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବନ୍ୟ ଜୀବଜନ୍ତୁମାନଙ୍କୁ ନେଇ ଭିଡିଓ କରଯାଇଥିବା ବେଳେ ସେଥିପାଇଁ ବନ ବିଭାଗ ଧ୍ୟାନ ଦେବାକୁ ସ୍ନେକ ହେଲ୍ପଲାଇନ ଅଧ୍ୟକ୍ଷ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ