ଭୁବନେଶ୍ବର: ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଏହାର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଆନ୍ଧ୍ର ସରକାର ଅଣ୍ଟା ଭିଡିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ପାଇଁ 10 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମାଗିଛନ୍ତି । ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ ନହେଲେ ଜଳମଗ୍ନ ହେବ ମାଲକାନଗିରି ଜିଲ୍ଲାର ଅଧା ଅଞ୍ଚଳ । ଯାହାକୁ ନେଇ ରାଜନୀତି ଜୋର ଧରିଛି ।
ଜଳମଗ୍ନ ହେବ ଓଡିଶାର ମାଲକାନଗିରି ଜିଲ୍ଲାର ଅଧା ଅଞ୍ଚଳ । ପୋଲାଭରମ ଆଁ'କୁ ଯିବ ମୋଟୁ । ପ୍ରକଳ୍ପ ଯୋଗୁଁ ଜିଲ୍ଲାର ଜନଜାତି ପ୍ରଭାବିତ ହେବା ସହ ବ୍ୟାପକ ଅଞ୍ଚଳ ବୁଡ଼ିବା ସହ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ରହିଛି । ପ୍ରକଳ୍ପର ବନ୍ୟା ଜଳ ପରିମାଣ 36 ଲକ୍ଷ କ୍ୟୁସେକରୁ 50 ଲକ୍ଷ କ୍ୟୁସେକକୁ ସଂଶୋଧନ କରାଯାଇଛି । ଏମିତି ହେଲେ ମାଲକାନଗିରି ଜିଲ୍ଲାର 250 ଟି ଗ୍ରାମ ଓ 6 ହଜାର 923 ଲୋକ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ମାର୍ଚ୍ଚ 2020 ପରଠାରୁ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଶୁଣାଣି ହୋଇପାରିନଥିବାବେଳେ ଏହାର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଏବେ ଆନ୍ଧ୍ର ସରକାର ଅଣ୍ଟା ଭିଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ପାଇଁ 10 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମାଗିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।
ଏହା ସହ ବୈଷୟିକ ପରାମର୍ଶଦାତା କମିଟି ପ୍ରକଳ୍ପ ପାଇଁ 55 ହଜାର 549 କୋଟି ଟଙ୍କାର ଯେଉଁ ସଂଶୋଧିତ ବ୍ୟୟ ଅଟକଳ ସୁପାରିସ କରିଛି ତାହାକୁ ମଞ୍ଜୁର କରିବା ଓ ପ୍ରକଳ୍ପ ପାଇଁ ରାଜ୍ୟ ପକ୍ଷରୁ ଖର୍ଚ୍ଚ କରାଯାଇଥିବା 2900 କୋଟି ଟଙ୍କାର ଭରଣା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ଅନେକ ଥର ହୋଇଥିଲେ ବି କରୋନା କଟକଣା ଯୋଗୁଁ ମାର୍ଚ୍ଚ 2020 ପରଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ଶୁଣାଣି ହୋଇପାରିନାହିଁ । ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ରୁଜୁ କରି ଦାୟିତ୍ବ ଝାଡ଼ି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ପକ୍ଷରୁ 2007ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ ତଥା ପରବର୍ତ୍ତୀ ସମୟରେ ଦାଖଲ କରାଯାଇଥିବା ଏକାଧିକ ମଧ୍ୟବର୍ତ୍ତିକାଳୀନ ଆବେଦନଗୁଡ଼ିକ ଏବେ ବି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଯଦି କୋର୍ଟରେ ମାମଲା ସମାଧାନ ନ ହେବା ପୂର୍ବରୁ ପ୍ରକଳ୍ପ ନିର୍ମାଣକୁ ଅନୁମତି ମିଳେ ଏହା ରାଜ୍ୟର ବୃହତର ସ୍ବାର୍ଥରେ ସ୍ଥାୟୀ କ୍ଷତି କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ମାମଲା ବିଚାରାଧୀନ ଥିବାବେଳେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର 72 ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆସନ୍ତା ବର୍ଷ ଖରିଫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଆନ୍ଧ୍ର ଯୋଜନା ରଖିଛି । ଯଦି ଏମିତି ହୁଏ, ସୁପ୍ରିମକୋର୍ଟର ରାୟ ଆସିବାବେଳକୁ ଜଳ ସମାଧି ନେଇସାରିଥିବ ଓଡ଼ିଶାର ଅନେକ ଅଞ୍ଚଳ ।
ଇଟିଭି ଭାରତ, ଭୁବନେଶ୍ବର