ଭୁବନେଶ୍ବର: ସାହାସିକତା ଦେଖାଇ ସାବାସି ନେଲେ ଜଣେ ଅଟୋ ଚାଳକ । ପାସେଞ୍ଜରର ଭ୍ୟାନିଟି ନେଇ ଚମ୍ପଟ ମାରୁଥିବା ଜଣେ ସ୍ନାଚରକୁ ଫିଲ୍ମ ଷ୍ଟାଇଲରେ ଷ୍ଟଣ୍ଟ ମାରି କାଵୁ କଲେ ଅଟୋ ଚାଳକ । ଏମିତି ସାହସିକତା ଦେଖାଇଥିବା ଅଟୋ ଡ୍ରାଇଭରଙ୍କୁ ୧୫ଶହ ଟଙ୍କା ସହ ଡିସିପି ଅଫିସରେ ସମ୍ମାନିତ କରିଛନ୍ତି ପୋଲିସ କମିଶନର । ସଂପୃକ୍ତ ଅଟୋ ଡ୍ରାଇଭର ଓଲଡଟାଉନ ଅଞ୍ଚଳର ଶ୍ରୀକାନ୍ତ ସାହୁ ।
ଗତକାଲି ତମାଣ୍ଡୋରୁ ଜଣେ ମହିଳା ପାସେଞ୍ଜର ସହ ତାଙ୍କ ବୃଦ୍ଧ ବାପା ଓ ଛୋଟ ପିଲାକୁ ଆଣି ସୈନିକ ସ୍କୁଲ ପଛ ଗେଟ ପାଖରେ ଛାଡିବାର ଥିଲା । ଏହି ସମୟରେ ଦୁଇଜଣ ସ୍ନାଚର ଏକ ବାଇକରେ ଆସି କଡରେ ବସିଥିବା ମହିଳା ପାସେଞ୍ଜରଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ । ଲୁଟେରାମାନେ ଭ୍ୟାନିଟି ଝାମ୍ପି ନେଇ ବିପରୀତ ଦିଗରେ ଚମ୍ପଟ ମାରୁଥିବାବେଳେ ଅଟୋ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିକୁ ଲୁଟେରାମାନେ ଯାଉଥିବା ଦିଗରେ ନେଇଥିଲେ । ଆଉ ଫିଲ୍ମ ଷ୍ଟାଇଲରେ ଅଟୋକୁ ଷ୍ଟଣ୍ଟ ମାରି ଲୁଟେରାଙ୍କ ଆଗରେ ରଖିଥିଲେ । ଆଉ ଗାଡିରୁ ଓହ୍ଲାଇ ଲୁଟେରାକୁ କାଵୁ କରିଥିଲେ। ।
ବାଇକରେ ପଛରେ ବସି ଭ୍ୟାନିଟି ଝାମ୍ପି ଥିବା ଲୁଟେରା ଖସିଯାଇଥିଲେ ମଧ୍ୟ ବାଇକଚାଳକ ଲୁଟେରାକୁ ଗାମୁଛାରେ ବାନ୍ଧି ଧରିଥିଲେ ଶ୍ରୀକାନ୍ତ । ପିସିଆରକୁ ଯୋଗାଯୋଗ କରି ଲୁଟେରାକୁ ପୋଲିସ ଜିମାରେ ଦେଇଥିଲେ । ଏହି ସାହାସିକତା ପାଇଁ ଶ୍ରୀକାନ୍ତଙ୍କୁ ସାବାସୀ ଦେଇଛନ୍ତି ଭୁବନେଶ୍ଵର ଡିସିପି ଓ ପୋଲିସ କମିଶନର । ଶ୍ରୀକାନ୍ତଙ୍କ ପାସେଞ୍ଜର ପ୍ରତି ସୁରକ୍ଷା ଓ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି ଭୁବନେଶ୍ବର ଡିସିପି ଓ ପୋଲିସ କମିଶନର ।
ଭୁବନେଶ୍ବର ତାପସ ପରିଡ଼ା, ଇଟିଭି ଭାରତ