ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଅମର ପଟ୍ଟନାୟକଙ୍କ ରେଳ ବଜେଟକୁ ନେଇ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ପରିସ୍ଥିତି ଯାହା ବି ଥାଉ, ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟ୍ ସଂକ୍ରାନ୍ତରେ ଆମର ଦାବି ପୂରଣ ହେବା ଦରକାର । କୋଭିଡ କଟକଣା ସମୟରେ ମଧ୍ୟ ଓଡିଶାରୁ ଭଲ ଜିଏସଟି ଆଦାୟ ହୋଇଛି ତେଣୁ ରେଳ ବଜେଟରେ ଆମକୁ ଅଲଗା ଭାବେ ଦେଖିବାକୁ ହେବ।
ରାଜ୍ୟ ସରକାର ଦୁଇଟି ଭାଗରେ ରେଳ ବଜେଟ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି। ଏହିପରି ଚଳିତ ରେଳ ବଜେଟ୍ ପାଇଁ ଓଡିଶା ୭୨୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛି। ଅନେକ ସମୟରେ ରେଲବିଭାଗ ଜମି ସମସ୍ୟା ଯୋଗୁ କାମ ଆଗେଇ ପାରୁ ନାହିଁ ବୋଲି କହିଆସୁଛି ।ଏହା ଷ୍ଟେରିଓ ଟାଇପ୍ କଥା ହେଇ ଗଲାଣି ବୋଲି ସାଂସଦ କହିଛନ୍ତି ।
ରେଳବାଇର ଅନେକ ପ୍ରକଳ୍ପ ଅଛି, ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବା ସହ ଜମି ମଧ୍ୟ ଉପଲବ୍ଧ କରିଛନ୍ତି। ଆଉ କିଛି ପ୍ରକଳ୍ପ ପାଇଁ 50 ପ୍ରତିଶତ ଅର୍ଥ ବ୍ୟବସ୍ଥା କରିଛିନ୍ତି କିନ୍ତୁ କୌଣସି କାମ ଆରମ୍ଭ ହୋଇନାହିଁ। ଉଦାହରଣ ସ୍ଵରୂପ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନ ଉନ୍ନତିକରଣ, କଳାହାଣ୍ଡି ଓ ଗଞ୍ଜାମ ସୀତଳାପଲ୍ଲୀ ୱାଗନ କାରଖାନା ଓ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ତେଣୁ ଚଳିତ ଥର ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ଅମର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ