ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ କୋଭିଡ଼ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ କରିବାକୁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ ନାଇଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ନଭେମ୍ବର ୧୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ଦ୍ବିତୀୟ ଲହର ସଂକ୍ରମଣ ସମୟରେ ବୁର୍ଲା ଭୀମସାରରେ ଚିକିତ୍ସା ଅବହେଳା ନେଇ ଅଭିଯୋଗ ହୋଇଥିଲା । ଏନେଇ ହାଇକୋର୍ଟରେ ଏକାଧିକ ପିଟିସନ ଦାଖଲ ହୋଇଥିଲା । ଆଜି(ଶନିବାର) ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହୋଇକୋର୍ଟ । ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୮ ତାରିଖରେ ହେବ।
କୋରୋନାର ଦ୍ବିତୀୟ ଲହର ବେଳେ ଭିମସାରରେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢୁଥିବା ବରଗଡର ଆଇନ ଛାତ୍ର ଜ୍ଞାନଦତ୍ତ ଚୌହାନ ଜନସ୍ବାର୍ଥ ମାମଲା ଦାଏର କରିଥିଲେ । ମହାମାରୀ କୋରୋନା ସମୟରେ ଉପଯୁକ୍ତ ଚିକିତ୍ସା ନ ପାଇ ବହୁ ଲୋକ ଆଖି ବୁଜିଛନ୍ତି ବୋଲି ଜ୍ଞାନଦତ୍ତ ଦର୍ଶାଇଛନ୍ତି । ଚିକିତ୍ସା ଅବହେଳା, ଆଇସିୟୁ ଓ ଅକ୍ସିଜେନ ଅଭାବରୁ ପଶ୍ଚିମ ଓଡିଶାର ବହୁ ଜୀବନ ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଘଟଣା ଘଟିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏହାକୁ ଗୁରୁତର ସହ ନେବା ସହ ନଭେମ୍ବର ୧୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ