ଭୁବନେଶ୍ବର : କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ବିଶ୍ବସ୍ତରୀୟ ସ୍ବପ୍ନ ଦେଖାଇଛନ୍ତି । କେତେବେଳେ ବିମାନବନ୍ଦରକୁ ତ ଆଉ କେତେବେଳେ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବେ ବୋଲି କହିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କର ସବୁ ପ୍ରତିଶ୍ରୁତି ବିଶ୍ବସ୍ତରୀୟ ଧୂଆଁବାଣ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ରାଜ୍ୟରୁ ରେଳବାଇ ପ୍ରତ୍ୟେକ ବର୍ଷ ପ୍ରାୟ 80 ହଜାର କୋଟିର ରାଜସ୍ବ ଆଦାୟ କରୁଛି । ହେଲେ ଏକ୍ସପେଣ୍ଡିଚର ମାତ୍ର 7 ହଜାର କୋଟି । କେନ୍ଦ୍ର ସରକାର ଓ ରେଳବାଇ ସବୁବେଳେ ଓଡ଼ିଶାକୁ ଅବହେଳା କରି ଆସିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ରକୁ ସମର୍ଥନ କରି ଆସୁଛି, ହେଲେ ଫଳ ଶୁନ ମିଳୁଛି । କଳାହାଣ୍ଡିରେ ରେଳ ଡବା କାରଖାନା କରିବେ ବୋଲି କହିଥିଲେ, ହେଲେ ବିଶାଖାପାଟଣାରେ କଲେ । ଇଲେକ୍ଟ୍ରିକ ଇଞ୍ଜିନ କାରଖାନା କଳାହାଣ୍ଡିରେ କରିବେ ବୋଲି ଘୋଷଣା କଲେ,ହେଲା ସେଇଟା ଗୁଜରାଟକୁ ନେଇଗଲେ । ପୁରୀ ଓ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବେ ବୋଲି ଘୋଷଣା କରିଥିଲେ । ହେଲେ ଏବେ ସେ ବିଶ୍ବସ୍ତରୀୟ ରେଳ ଷ୍ଟେସନ କାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁର । ବିଜୁ ପଟ୍ଟନାୟକ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ସମସ୍ୟା ହେବାରୁ କିଛି ବର୍ଷ ପୂର୍ବେ ଖୋର୍ଦ୍ଧାରେ ଜମି ଖୋଜିଲେ । ଟାଙ୍ଗିଆପଡାରେ 27 ହଜାର ଏକରରେ ଥିବା କାଜୁ ବଗିଚାକୁ ବିମାନବନ୍ଦର କରିବାକୁ ଚୟନ କଲେ, ମାତ୍ରୟ ତାହା ହେଲାନି । ଏବେ ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର କରିବେ ବୋଲି ମାତିଛନ୍ତି ବୋଲି କହି କେନ୍ଦ୍ରକୁ କଟାକ୍ଷ କରିଛନ୍ତି ସୁର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ