ଭୁବନେଶ୍ବର: ରାଜ୍ୟରେ ରାଜନୈତିକ ତାତି । ତାତି ଆକ୍ରମଣର, ତାତି ରାଜନେତାଙ୍କ ବୟାନବାଜୀ ପାଇଁ । ନିର୍ବାଚନ ପୂର୍ବରୁ ନେତାଙ୍କ ଉପରେ ଆକ୍ରମଣ ହେବା ଆଉ ପରସ୍ପର ଦୋଷ ଲଦାଲଦି ପ୍ରସଙ୍ଗ ନୂଆ ନୁହେଁ । ଯଦି ଆକ୍ରମଣ ବିରୋଧିଙ୍କ ଉପରେ ହୁଏ, ତେବେ ସିଧାସଳଖ ପ୍ରଶ୍ନ ନିଶ୍ଚିତ ଭାବେ ସରକାରଙ୍କ ଉପରକୁ ଉଠିବ । ଠିକ୍ ଏପରି କିଛି ମାହୋଲ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ପରେ ରାଜ୍ୟରେ ଦେଖିବାକୁ ମିଳିଛି । କଂଗ୍ରେସ ତାତିବାରେ ଲାଗିଛି, ଆକ୍ସନ ନ ହେଲେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରିବାର ଖୋଲା ଧମକ୍ ଦେଇଛି ।
କେନ୍ଦୁଝର ଗସ୍ତ ସମୟରେ ଗତକାଲି 4-5 ଜଣ ଦୁର୍ବୃତ୍ତ କଂଗ୍ରେସ ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଆଉ ଗାଡି କାଚ ଲକ୍ ଥିବାରୁ ନିରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆଉ ଆକ୍ରମଣ ପରେ ପୂରାପୂରି ଆକ୍ରମଣାତ୍ମକ ମୁଦ୍ରାରେ କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ହେଲେ 307 ଦଫା ଲାଗୁଛି ତ' ନିରଞ୍ଜନଙ୍କ ଉପରେ ଆକ୍ରମଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି ବୋଲି ଦଳ ପ୍ରଶ୍ନ କରିଛି । କଂଗ୍ରେସ ଏଥିରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଆସୁଛି । ଏପରିକି ନିରଞ୍ଜନ ଖୋଦ୍ ବିଜେପି ଯୁବ ମୋର୍ଚ୍ଚା ଆକ୍ରମଣ କରିଛି ବୋଲି କହିଛନ୍ତି ।
ଏପଟେ ନ୍ୟାସନାଲ ଆଟ୍ରୋସିଟି ଆକ୍ଟ ଲଗାଇବାକୁ ତାରା ପ୍ରସାଦ ବାହିନୀ ଦାବି କରିଛନ୍ତି । ଚାଷୀଙ୍କ ଆନ୍ଦୋଳନ ଦେଖି ବିଜେପି ଡରୁଥିବାର କଂଗ୍ରେସ ଅଭିଯୋଗ ଆଣିଛି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ । ବିଜେପି କେବେ ହିଂସାକାଣ୍ଡରେ ବିଶ୍ୱାସ କରେନି ଓ ବିଜେପି ସହ ନିଷ୍ଠାର ସହ ଜଡିତ କୌଣସି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି ପୃଥ୍ବୀରାଜ୍। ଶାସକ ଦଳ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ଖୋଲିଛି । ପ୍ରେସ୍ ମିଟରେ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଦଳ ବିଜେପି ଉପରେ ସମସ୍ତ ଦୋଷ ଲଦି ଦେଇଛି ।
ତେବେ କାହିଁକି ରାଜ୍ୟରେ ରାଜନେତାଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି ? କେବେ କେନ୍ଦ୍ରନେତାଙ୍କୁ କଳାପତାକା ଦେଖା ଯାଉଛି ତ କେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ହେଲାଣି, ଆଉ ରାଜନେତାଙ୍କୁ ହତ୍ୟାଭଳି ସଙ୍ଗୀନ ଅଭିଯୋଗ ବି ଆସୁଛି । ଯାହା ରାଜ୍ୟରେ ଆଇନଶୃଙ୍ଖଳାରେ ଢିଲା ଆଉ ରାଜନୈତିକ ଦଳ ମଧ୍ୟରେ ଆକ୍ରୋଶକୁ ପ୍ରତିପାଦିତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ