ଭୁବନେଶ୍ବର: ପ୍ରକାଶ ପାଇଛି ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation Election) (BMC)ର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା । ମେୟର ପଦବୀ ମହିଳାବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ଚିଠା ପ୍ରସ୍ତାବରେ ଦର୍ଶାଯାଇଛି । ପୂର୍ବରୁ BMC ମହିଳା କମିଶନର ଦେଖିସାରିଥିବା ବେଳେ ଏଥର ଜଣେ ମହିଳା ମେୟର ହେବା ଏକ ପ୍ରକାର ସୁ-ନିଶ୍ଚିତ । ଯଦି ଏହା ହୁଏ 2003 ମ୍ୟୁନିସିପାଲଟିରୁ ଭୁବନେଶ୍ବର ମହାନଗର ନିଗମ ହୋଇଥିବା ବିଏମସି ପାଇବ ପ୍ରଥମ ମହିଳା ମେୟର । ଯାହାକୁ ନେଇ ଏବେ ପାୱାର କରିଡରରେ ଆରମ୍ଭ ହୋଇଯାଇଛି ପାୱାରଫୁଲ ଲବି ।
କିଏ ସେହି ନେତ୍ରୀ । ଯିଏ ହେବେ ବିଏମସିର ପ୍ରଥମ ମହିଳା ମେୟର ? ବିଶେଷ କରି ବିଜେଡିରୁ ଦୌଡରେ କେଉଁ ନେତ୍ରୀ ଅଛନ୍ତି ଆଗରେ ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା, ଆଲୋଚନା ଓ ପର୍ଯ୍ୟାଲୋଚନା । ବିଏମସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଶାସକ ଦଳର ଏକାଧିକ ନେତ୍ରୀଙ୍କୁ ନେଇ ଲବି, ଯୋଜନା ରଣନୀତି ହୋଇଛି ଯୋରଦାର । ଚିଠା ସଂରକ୍ଷଣ ତାଲିକା ଉପରେ ଆସନ୍ତା 15 ଦିନ ଧରି ଆପତ୍ତି ଅଭିଯୋଗର ଶୁଣାଣି କରାଯିବ । ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । କେବଳ ମହିଳା ନା ଅନ୍ୟ କୌଣସି ବର୍ଗର ମହିଳାଙ୍କ ଲାଗି ଏହା ସଂରକ୍ଷିତ ହେବ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ତାହା ସ୍ପଷ୍ଟ ହେବ ।
ଭୁବନେଶ୍ବର ମହାନଗର ନିଗମ ଗଠନ ପରଠାରୁ କେବଳ ଜଣେ ମହିଳା ପ୍ରଶାସିକାଙ୍କୁ ଏହାର କମିଶନର ଭାବେ ଦାୟିତ୍ବ ମିଳିଥିଲା । ସେହି ପ୍ରଶାସିକା ହେଉଛନ୍ତି ବର୍ତ୍ତମାନର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସେହିପରି 2003ରେ ଭୁବନେଶ୍ବର ମହାନଗର ନିଗମ ହେବା ପରେ ମେୟର ଭାବରେ ନେତାଙ୍କ ଦବଦବା ରହି ଆସିଛି । ମିହିର ମହାନ୍ତି ହୋଇଥିଲେ ବିଏମସିର ପ୍ରଥମ ମେୟର । ବିଏମସିର ପରବର୍ତ୍ତୀ ଦୁଇଟି କାର୍ଯ୍ୟକାଳରେ ମେୟର ହୋଇଥିଲେ ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା । ଏବେ ପ୍ରଥମଥର ବିଏମସି ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି । ଚର୍ଚ୍ଚା ଯେତିକି ଏହି ପଦ ଲାଗି ଆଶାୟୀଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ ।
ପୌର ଆଇନ ପରିବର୍ତ୍ତନ ହେବା ପରେ ମହାନଗର ନିଗମରେ ମେୟର ପ୍ରତ୍ୟକ୍ଷ ଭାବେ ନିର୍ବାଚନ ହେବାକୁ ଯାଉଛି । ବିଜୟୀ କର୍ପୋରେଟର ନୁହେଁ ଲୋକଙ୍କ ଦ୍ବାରା ସିଧାସଳଖ ଚୟନ ହେବେ ମେୟର । ପ୍ରତ୍ୟେକ ଦଳ ନିଜର ମେୟର ପ୍ରାର୍ଥୀ ଦେବେ । ଲୋକଙ୍କ ସିଧାସଳଖ ଭୋଟରେ ବିଜୟୀ ପ୍ରାର୍ଥୀ ମେୟର ହେବେ । ସେଥିପାଇଁ ମହାନଗରବାସୀଙ୍କୁ ଦୁଇଟି ଭୋଟ ଦେବାକୁ ପଡିବ । ଗୋଟିଏ ନିଜ ଅଞ୍ଚଳର କର୍ପୋରେଟର ଓ ଅନ୍ୟଟି ମେୟର ପ୍ରାର୍ଥୀଙ୍କ ପାଇଁ।
ତେବେ ଶାସକ ବିଜେଡିରୁ ମେୟର ପଦବୀ ପାଇଁ ବର୍ତ୍ତମାନ ରେସରେ 5 ରୁ ଅଧିକ ନାଁ ସାମ୍ନାକୁ ଆସୁଛି । ବିଜେଡିରୁ ଯେଉଁମାନଙ୍କୁ ନେଇ ମେୟର ପ୍ରାର୍ଥିନୀ ପାଇଁ ଚର୍ଚ୍ଚା ହେଉଛି ସେମାନେ ହେଲେ OTDC ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ମିଶନ ଶକ୍ତି ବିଭାଗ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କାଦମ୍ବିନୀ ପତ୍ରିକାର ସମ୍ପାଦିକା ଇତି ସାମନ୍ତ ଓ ସମାଜସେବୀ ମୀରା ପରିଡା । ଆଗାମୀ ଦିନରେ ଏହି ତାଲିକା ଆହୁରୀ ଲମ୍ବିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଶ୍ରୀମୟୀ ମିଶ୍ର- ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର । ବର୍ତ୍ତମାନ ଓଡିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଅଛନ୍ତି । ଏହା ସହ ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସଂଚାଳିକା ଭାବେ ଦାୟିତ୍ବ ତୁଲାଇଛନ୍ତି । ପାୱାର କରିଡରର ନିକଟତର ଭାବେ ସେ ବେଶ ଜଣାଶୁଣା । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କାଉଣ୍ଟର କରିବା ଲାଗି ବିଜେଡି ଖୋଜୁଛି ଟାଣୁଆ ମହିଳା ନେତ୍ରୀ। ସଂରକ୍ଷଣ ତାଲିକା ପ୍ରକାଶ ପାଇବାର ଢେର ଆଗରୁ ଶ୍ରୀମୟୀଙ୍କ ନାଁ ଚର୍ଚ୍ଚା ହେଉଛି । ଏହାବାଦ ଦଳ ତାଙ୍କୁ ବଲାଙ୍ଗୀର ଜିଲ୍ଲା ପାଇଁ ମଧ୍ୟ ପ୍ରୋଜେକ୍ଟ କରୁଛି । କାରଣ ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାର ପରିବର୍ତ୍ତେ ନୂଆ ନେତା ନେତ୍ରୀଙ୍କୁ ଦଳ ସେଠାରେ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।
ଲୋପାମୁଦ୍ରା ବକ୍ସିପାତ୍ର - ମହିଳା ବିଜେଡିର ଜଣେ ଆଗଧାଡିର ନେତ୍ରୀ । ବର୍ତ୍ତମାନ ମିଶନ ଶକ୍ତି ବିଭାଗ ଉପଦେଷ୍ଟା ସହ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ମହିଳା କମିଶନ ଭାବେ କାର୍ଯ୍ୟ କରିଛନ୍ତି । ସମ୍ବିଧାନିକ ପଦରୁ ହଟେଇବା ପରେ ତାଙ୍କୁ ବଡ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ଲାଗି ରହିଛି । ଦଳର ସମ୍ପାଦକ ଥିବାବେଳେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମଧ୍ୟ ଦେଇଛି ଦଳ ।
ପ୍ରୀତିନନ୍ଦା ରାଉତରାୟ- ପ୍ରୀତିନନ୍ଦା ବିଏମସିର ପୂର୍ବତନ କର୍ପୋରେଟର । ଏହାସହ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତଙ୍କ ଝିଅ । ଭାଇ ସମ୍ବିତ ରାଉତ ବର୍ତ୍ତମାନର ପାରାଦ୍ବୀପର ବିଧାୟକ । ପ୍ରୀତିନନ୍ଦା ଅନେକ ଓଡିଆ ଗୀତରେ କଣ୍ଠଦାନ କରିଛନ୍ତି । ଏହାସହ ନିଜସ୍ଵ କିଛି ଭୋଟ ବ୍ୟାଙ୍କ ମଧ୍ୟ ତାଙ୍କର ରହିଛି । ମହିଳା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥାନ୍ତି ।
ଇତି ସାମନ୍ତ - ପ୍ରତିଷ୍ଠିତ କାଦମ୍ବିନୀ ପତ୍ରିକାର ସମ୍ପାଦିକା ହେଉଛନ୍ତି ଇତି ସାମନ୍ତ । ତାଙ୍କର ଆଉ ଏକ ପରିଚୟ ହେଉଛି ସେ କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାନ ଭଉଣୀ । ଜଣେ ସାହିତ୍ୟିକା ଓ ନିଜସ୍ବ ଦକ୍ଷତାରେ ଭୁବନେଶ୍ବରରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ଅଛି ।
ବର୍ଷା ପ୍ରିୟଦର୍ଶିନୀ- ଓଡିଆ ଫିଲ୍ମ ଜଗତର ଜଣେ ଆଗ ଧାଡିର ଅଭିନେତ୍ରୀ । ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବ୍ୟକ୍ତିଗତ ମାମଲାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ସାଂସଦ ତଥା ଅଭିନେତା ସ୍ବାମୀ ଅନୁଭବ ମହାନ୍ତିଙ୍କ ସହ ପାରିବାରିକ ମାମଲା ଭିତରୁ ମେୟର ରେସକୁ ଧସେଇ ପଶିଛନ୍ତି । ବିଭିନ୍ନ ଘଟଣାକୁ ନେଇ ଅନୁଭବଙ୍କ ଛବି ମଳିନ ପଡୁଥିବାରୁ ତାଙ୍କୁ ରିପ୍ଲେସ କରିବା ଲାଗି ବିଜେଡି ଚାହୁଁଛି । ଯଦି ବର୍ଷାଙ୍କୁ ଦଳ ମେୟର ଲାଗି ପ୍ରାର୍ଥୀ କରେ ତେବେ ଦଳକୁ ତାରକା ବଦଳରେ ତାରକା ମିଳିଯିବ । ଯାହା ଦଳକୁ ଭୋଟ ବ୍ୟାଙ୍କ ବଢାଇବାରେ ସହାୟକ ହୋଇପାରେ ।
ମୀରା ପରିଡା- ତୃତୀୟ ଲିଙ୍ଗ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ମୀରା ଜଣେ ବିଶିଷ୍ଟ ସମାଜସେବୀ । ଏହାସହ ସେ ବିଜେଡିର ସାଧାରଣ ସମ୍ପାଦିକା ଓ କୋରାପୁଟ ବିଜେଡିର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ଭବାନୀ ଶଙ୍କର ଦାସ, ଇଟଭି ଭାରତ