ଭୁବନେଶ୍ବର : ରାଜ୍ୟରେ ମାଡୁଛି ସଂକ୍ରମଣ । ଏଥିରୁ ବାଦ ପଡିନି ଭୁବନେଶ୍ବର ଏମ୍ସ । ଏମ୍ସର ଏକାଧିକ କର୍ମଚାରୀ, ଡାକ୍ତର ଓ ଓପିଡ଼ିରେ କାମ କରୁଥିବା କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସଂକ୍ରମଣ ଏଭଳି ବଢ଼ୁଥିବାରୁ ରୋଗୀମାନେ ଓପିଡ଼ି ଆସିଲେ ସେମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଥିପାଇଁ ଆଜି (ସୋମବାର)ଠାରୁ ଭୁବନେଶ୍ୱର ଏମ୍ସର OPDକୁ ବନ୍ଦ କରି ଦିଆଯାଇଛି ।
ଭୁବନେଶ୍ବର ଏମ୍ସରେ ପାଖାପାଖି 800 କର୍ମଚାରୀ ମଧ୍ୟରୁ 250 ଜଣଙ୍କୁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଠାରୁ ବହିଃରୋଗୀ ଚିକିତ୍ସା ସେବା ବନ୍ଦ ଥିବା ବେଳେ କେବଳ ପୂର୍ବରୁ ପଞ୍ଜୀକୃତ ରୋଗୀ ହସ୍ପିଟାଲକୁ ଆସିପାରିବେ । ଜରୁରୀ ସେବା ବ୍ୟତୀତ ଅନ୍ୟ ଚିକିତ୍ସା ପାଇଁ ଟେଲି ମେଡିସିନ ସେବା ଉପଲବ୍ଧ ରହିଛି।
ରୋଗୀମାନେ ହସ୍ପିଟାଲ ନ ଆସି ଡିଜିଟାଲ ମାଧ୍ୟମରେ ସ୍ବାସ୍ଥ୍ୟସେବା ହାସଲ କରିବା ପାଇଁ ଏମ୍ସ ପରାମର୍ଶ ଦେଇଛି। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପସରେ ରୋଗୀମାନେ ପଞ୍ଜିକରଣ କରି ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ସମ୍ବନ୍ଧରେ ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏହି ଟେଲି ମେଡିସିନ ସେବା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 9 ଟା ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ସେହିଭଳି ଶନିବାର 9 ସକାଳ ରୁ 1 ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏମ୍ସ ସ୍ୱାସ୍ଥ୍ୟ ଆପ୍ସ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 8. 30 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଉପଲବ୍ଧ ହେବ। ଶନିବାର ଦିନ 8 .30ରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।
ଏହାବି ପଢନ୍ତୁ :ରାଜ୍ୟରେ ସଂକ୍ରମଣ ଡବଲିଂ ଟାଇମ୍ ଓ ଗ୍ରୋଥ୍ ରେଟ୍ କମିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ତେବେ ସମସ୍ତ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ। ଟେଲି ମେଡିସନ ଜରିଆରେ ଯଦି କୌଣସି ଡାକ୍ତର ଅନୁଭବ କରନ୍ତି ଯେ ରୋଗୀଙ୍କୁ ମେଡ଼ିକାଲ ଆସିବାର ଆବଶ୍ୟକତା ରହିଛି । ତେବେ ଡାକ୍ତରଙ୍କର ସ୍ୱୀକୃତି ନେଇ ମେଡ଼ିକାଲ ଆସି ପାରିବେ । ଅନ୍ତଃବିଭାଗରେ ଆଡମିଶନ ନେବାକୁ ହେଲେ ରୋଗୀ ଓ ସହାୟକଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ