ଭୁବନେଶ୍ବର: ଓଡିଶା ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ସଠିକ ଆକଳନ କରିନାହିଁ । ମୌସୁମୀ କେରଳ ଛୁଇଁଛି କିନ୍ତୁ ଏ ପର୍ଯ୍ୟନ୍ତ ଓଡିଶା ଛୁଇଁବା ନେଇ କୌଣସି ଆକଳନ ହୋଇନାହିଁ । ତେବେ ସମ୍ଭାବ୍ୟ ମରୁଡି ଆଶଙ୍କାରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ସ୍ଥିତି ଆକଳନ ଲାଗି କୃଷି-ସମବାୟ ବିଭାଗର ଯୁଗ୍ମ ବୈଠକ ବସିବ ।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପ୍ରାୟତଃ ବର୍ଷା ଠିକ ହେବ ବୋଲି IMD ପକ୍ଷରୁ କୁହାଯାଇଛି । କାଁ ଭାଁ ସ୍ଥାନରେ କମ ବର୍ଷା ହେବ। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ଆଶା କରାଯାଉଛି । ଯଦି ଅସୁବିଧା ହୁଏ, ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମୟ ଆସୁ, ମରୁଡ଼ି ପାଇଁ ସରକାର ପଦକ୍ଷେପ ନେବେ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ତେବେ ସ୍ଥିତି ଆକଳନ ଲାଗି ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ବସିବ । ସ୍ଥିତି ପରଖିବା ପରେ ମରୁଡି ନେଇ ସଠିକ ତଥ୍ୟ ଦିଆଯିବ । ବୈଠକରେ ଆଲୋଚନା ହେବା ପରେ ଚାଷୀ ମାନଙ୍କୁ ଏ ନେଇ ଅବଗତ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।
ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି ଯେ, ସମବାୟ ବିଭାଗ ଯୁଗ୍ମ ବୈଠକ କରିବ । IMD ମାସକୁ ମାସ ବର୍ଷାର ରିପୋର୍ଟ ଦେଉଛି । ହେଲେ ଦୀର୍ଘ ସମୟ ରିପୋର୍ଟ ଦେଉନାହିଁ । ଆମେରିକା ଓ ୟୁରୋପ ଆକଳନ କରିଛନ୍ତି ଯେ ଶେଷ ସମୟରେ କମ ବର୍ଷା ହେବ । ଆମ ବିଭାଗକୁ କୃଷକଙ୍କୁ ସଜାଗ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେବୁ । ଖରାପ ସମୟ ପାଇଁ ଚାଷୀ ପ୍ରସ୍ତୁତ ରୁହନ୍ତୁ । ବୀମା ବି କରନ୍ତୁ । ତାହେଲେ କ୍ଷତିପୂରଣ ପାଇପାରିବେ । ଖୁବଶୀଘ୍ର କୃଷି ସମବାୟ ବିଭାଗର ଯୁଗ୍ମ ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର