ଭୁବନେଶ୍ବର: ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ ଅନ୍ୟ ସ୍ଥାନରେ ନେଇପାରିବେ ସ୍ଵାସ୍ଥ୍ୟକର୍ମୀ । ପ୍ରଥମ ଡୋଜ୍ ପାଇଁ ଯଦି ଜଣେ ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛି କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି ତାଙ୍କୁ ସେଠି ଟିକା ଦେବାର ବ୍ୟବସ୍ଥା କରାଯାଇଛି ।
ଏହାସହ ଟୀକାକରଣ ପାଇଁ ରାଜ୍ୟକୁ ପୁଣି ଆସିଲା 22 ଲକ୍ଷ ସିରିଞ୍ଜି । ଆଗରୁ ଆସିଥିଲା 21 ଲକ୍ଷ । ମଙ୍ଗଳବାର ଆସିଥିବା କୋଭିସିଲ୍ଡ ଟିକା ରାଜ୍ୟ ଭ୍ୟାକ୍ସିନ ଷ୍ଟୋରରେ ରହିଛି ବୋଲି ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ । ଦୁଇ-ତିନି ଦିନ ଭିତରେ ଜିଲ୍ଲାମାନଙ୍କୁ ପଠାଯିବ । ମଙ୍ଗଳବାର 3 ଜଣଙ୍କର ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ଜଣେ ଭଟଲି ବରଗଡ଼ ଜିଲ୍ଲାର ଓ 2 ଜଣ ସୁନ୍ଦରଗଡ଼ ଜିଲ୍ଲାର ଥିଲେ । ବର୍ତ୍ତମାନ ସବୁ ଠିକ ଅଛି।
ମଙ୍ଗଳବାର 102ଟି ସେସନରେ ଟୀକାକରଣ ହୋଇଥିଲା । 16 ହଜାର 261 ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ଥିଲା ସେଥିରୁ 14, 291 ଜଣଙ୍କୁ ଟୀକାକରଣ ହୋଇଛି । ଗତକାଲି 13 ଜିଲ୍ଲାରେ 100 ପ୍ରତିଶତ ଟୀକାକରଣ ହୋଇଛି । 92ଟି ସେସନରେ ଆଜି ଟୀକାକରଣ ହେବ। 8744 ଜଣଙ୍କୁ ଟୀକା ଦେବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ