ଭୁବନେଶ୍ୱର: ରାଜଧାନୀରେ ସ୍ବେରେଜ ବୋର୍ଡ଼ର କଚ୍ଛପ ଗତି। ୧୧ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୬୦% ପ୍ରତିଶତ କାମ, ତାହା ପୁଣି ଅଧାପନ୍ତରିଆ । ବିଭାଗୀୟ ଅଧିକାରୀଙ୍କ ଯୁକ୍ତି କାମ ଚାଲିଛି, ଯାହାକୁ ନାପସନ୍ଦ କରିଛନ୍ତି ଟାଉନ ପ୍ଲାନର । ଏଭଳି ସ୍ଥିତିରେ ଅସୁବିଧା ଭୋଗୁଛନ୍ତି ସାଧାରଣ ବାସିନ୍ଦା ।
ଏ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱରର ଡ୍ରେନ ନଂ ୪ର ଚିତ୍ର । ନର୍ଦ୍ଦମା ଅବସ୍ଥା ବଖାଣୁଛି ସ୍ମାର୍ଟସିଟି କେତେ ବେହାଲ । କାରଣ ଏହାର ଦାୟିତ୍ୱରେ ଥିବା ସ୍ବେରେଜ ବୋର୍ଡ଼ର କାମ ଚାଲିଛି କଚ୍ଛପ ଗତିରେ । ସାଧାରଣ ଲୋକଙ୍କ ଘର ମଳ ଲାଇନ ସଂଯୋଗ ହୋଇଛି ଡ୍ରେନରେ । ବର୍ଷା ହେଲେ ଡ୍ରେନ ସ୍ଥିତି ଅସ୍ବାଭାବିକ ହୋଇପଡେ । ୨୦୦୮ ମସିହାରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍ ୬୦ ପ୍ରତିଶତ କାମ ମଧ୍ୟ ସରିନାହିଁ ।
ବୋର୍ଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭରତ ଚନ୍ଦ୍ର ଦଳେଇଙ୍କ ସୂଚନାନୁସାରେ, ବିଏମସି ଅଞ୍ଚଳକୁ ୬ଟି ଭାଗରେ ବିଭକ୍ତ କରି କାମ ଆରମ୍ଭ କରିଛି ସ୍ବେରେଜ ବୋର୍ଡ଼ । ଗୋଟିଏ ଜାଇକା ହାତରେ ଥିବା ବେଳେ ଅନ୍ୟ ୫ଟି ବୋର୍ଡ଼ ଅଧିନରେ ଅଛି । ଭୁବନେଶ୍ୱରରେ ମୋଟ ୫୪୦ କିମି ପର୍ଯ୍ୟନ୍ତ ସ୍ବେରେଜ ଲାଇନ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ୩୬୦ କିମି ପର୍ଯ୍ୟନ୍ତ ସ୍ବେରେଜ ଲାଇନ ପଡିଛି । ୩ଟି ଏଜେନସି ଆଇରନ ଟ୍ରାନଗେଲ, ଟାଟା ପ୍ରୋଜେକ୍ଟ ଏବଂ ଲକ୍ଷ୍ମୀ କନଷ୍ଟ୍ରକସନ ମାଧ୍ୟମରେ ସ୍ବେରେଜ ଲାଇନ କାର୍ଯ୍ୟ ଚାଲିଛି । ଏହି କାମକୁ ସମ୍ପୂର୍ଣ୍ଣ ହେବାକୁ ଆହୁରି ୩ ରୁ ୪ ବର୍ଷ ଲାଗିବା ନେଇ ଜଣାପଡୁଥିବା ବେଳେ ଜମି ଅଧିଗ୍ରହଣ ତଥା ପରିଚାଳନାଗତ ସମସ୍ୟା ବାଧା ସୃଷ୍ଟି କରୁଛି ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି ।
ଅପରପକ୍ଷେ ବୋର୍ଡ଼ର ଏଭଳି ଯୁକ୍ତିକୁ ଗ୍ରହଣ କରିପାରିନାହାନ୍ତି ଟାଉନ ପ୍ଲାନର ଓ ସାଧାରଣ ଲୋକେ । ୨୦୧୪ ସୁଦ୍ଧା କାମ ସାରିବାକୁ ପ୍ରଶାସନ ସମୟ ଧାର୍ଯ୍ୟ କରିଥିବାବେଳେ ବୈଷୟିକ କାମ ପାଇଁ ବିଳମ୍ବ ହେଉଛି । ଏହାସହିତ ବହୁ କମ ଲୋକ ଏଥିରେ କାମ କରୁଛନ୍ତି । ପ୍ରଶାସନ ପକ୍ଷରୁ ଠିକ ଭାବରେ ତଦାରଖ କରାଗଲେ ସ୍ବେରେଜ ଲାଇନ କାମ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଟାଉନ ପ୍ଲାନର ପୀୟୂଷ ରାଉତ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ