ଭୁବନେଶ୍ବର: ରାଜଧାନୀରେ ଚାଲିଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଆଜିକୁ ୧୪ ଦିନ ହେବ ଭୁବନେଶ୍ବରର ୟୁନିଟି ୱାନ ପଡିଆରେ ଚାଲିଛି ଏହି ମେଳା । ଚଳିତ ବର୍ଷ ଆଦିବାସୀ ମାନଙ୍କ କୌଣସି ଜୀଵନଶୈଳୀ କିମ୍ବା ଆଦିବାସୀ ମାନଙ୍କର ଘର ପ୍ରଦର୍ଶିତ ହୋଇନାହିଁ କି ଗାଁର ବାସ୍ନା ମଧ୍ୟ ନାହିଁ । ତଥାପି ରାଜଧାନୀବାସୀଙ୍କ ଗହଳି ଜାମୁଛି । କାରଣ ଆଦିବାସୀ ମାନଙ୍କର ଖାଦ୍ୟ ପଦାର୍ଥ ଚାହିଦା ରାଜଧାନୀବାସୀଙ୍କୁ ବିଶେଷ ଭାବେ ଆକର୍ଷଣ କରୁଛି ।
ଚଳିତ ବର୍ଷ କୋଭିଡ଼ କଟକଣାରେ ହେଉଛି ଆଦିବାସୀ ମେଳା । ଭିତରକୁ ଯିବାରେ ଲାଗିଛି କଟକଣା, ଭିତରକୁ ଯିବାକୁ ହେଲେ ପ୍ରଥମେ ନାମ ପଞ୍ଜିକରଣ କରିବାକୁ ହେଉଛି । ଚଳିତ ବର୍ଷ କୋରୋନା ଯୋଗୁଁ ସାମାଜିକ ଦୂରତା ରକ୍ଷାକୁ ଖୁବ୍ କଡ଼ାକଡି କରାଯାଇଛି । ଗ୍ରାହକ ଓ ବେପାରୀ ଉଭୟ ସାମାଜିକ ଦୂରତାକୁ ବଜାୟ ରଖି କରୁଛନ୍ତି କିଣାବିକା। ଚଳିତ ବର୍ଷ କେବଳ ଆଦିବାସୀ ସଂପ୍ରଦାୟର ସାମଗ୍ରୀକୁ ନେଇ ଭିଡ ଜମୁଛି । ତେଣୁ ମେଳାରେ ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି,ମହୁ, ଲାଖ, ଝୁଣା, ହରିଡା, ବାହାଡା ଓ ଅଁଳା ଭଳି ଲଘୁ ବନଜାତ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲଗୁଡିକ ରେ ଖୁବ ଭିଡ଼ । ଏହି ସାମଗ୍ରୀ କିଣିବାକୁ ଗୃହିଣୀ ମାନଙ୍କର ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷତ୍ୱ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗ୍ରହକାଙ୍କୁ ବେଶୀ ଆକୃଷ୍ଟ କରିଛି । ସବୁ ବର୍ଷ ଭଳି ରାଜଧାନୀବାସୀ ଅପେକ୍ଷା କରିଥାନ୍ତି ଏହି ମେଳାକୁ ଆଉ ଏହି ମେଳାରୁ କିଣିଥାନ୍ତି ଘରକରଣା ଜିନିଷ। ତେବେ କଟକଣା ଭିତରେ ଏବର୍ଷ ମେଳା ଲାଗିଥିବା ବେଳେ ଆଦିବାସୀ ଜନଜାତିମାନଙ୍କ ଗାଁର ଝଲକ ନଥିବାରୁ ନାଖୁସ ଅଛନ୍ତି ରାଜଧାନୀବାସୀ ।
ଅନ୍ୟପଟେ ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀ ମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । କନ୍ଧମାଳ ହଳଦୀ ଓ ବଡ଼ି ପାମ୍ପଡ଼ ରାଜଧାନୀ ବାସୀଙ୍କର ଏବେ ଖୁବ ପସନ୍ଦ । ହେଲେ ଚଳିତ ବର୍ଷ କଟକଣା ଭିତରେ କନ୍ଧମାଳ ହଳଦୀ ଓ କେନ୍ଦୁଝର ଫୁଲ ବଡି ଭଳି ପ୍ରିୟ ସାମଗ୍ରୀ ପାଇଁ ଯଦିଓ କିଛି ଲୋକ ଆସୁଛନ୍ତି ହେଲେ ଆଗଭଳି ଭିଡ ନ ଥିବାରୀ ବ୍ୟବସାୟ ସେତେଟା ଭଲ ହେଉନଥିବା କହିଛନ୍ତି ବ୍ୟବସାୟୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ