ଭୁବନେଶ୍ବର: ପୁଣି ଲୋକଙ୍କ ସେବା ପାଇଁ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଅନଲାଇନରେ କୋରୋନା ରୋଗୀଙ୍କୁ ଯୋଗାଇବେ ଚିକିତ୍ସା ସାହାଯ୍ଯ । ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଅଭାବ ଯୋଗୁଁ କୋରୋନା ରୋଗୀଙ୍କ ପ୍ରାଣହାନୀ ଘଟୁଥିବାବେଳେ ଏନେଇ ସବ୍ୟସାଚୀ ଏକ ଅନଲାଇନ ଫର୍ମ ତିଆରି କରିଛନ୍ତି । ଯାହା ମାଧ୍ୟମରେ ରୋଗୀଙ୍କ ବିବରଣୀ ଓ ସେମାନଙ୍କ ଜରୁରୀକାଳୀନ ଆବଶ୍ୟକତାକୁ ଜାଣି ତାଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବେ ।
ଏନେଇ ସବ୍ୟସାଚୀ କହିଛନ୍ତି, ଆମେ ଏକ କଠିନ ସମୟ ଦେଇ ଗତି କରୁଛେ । ଗତ କିଛିଦିନରୁ ମୁଁ ସୋସିଆଲ ମିଡିଆରେ ଶତାଧିକ କୋଭିଡ୍ ଆକ୍ରାନ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଆଇସିୟୁ ବେଡ୍, ଅମ୍ଳଜାନ ଓ ଔଷଧ ପାଇଁ ଅନୁରୋଧ ପାଉଛି । ମୁଖ୍ୟତଃ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରୁ ଏହି ଘଟଣା ସାମ୍ନାକୁ ଆସୁଛି । ତେବେ ସେମାନଙ୍କ ଅନୁରୋଧର ଯଥାସମ୍ଭବ ସମାଧାନ ପାଇଁ ମୁଁ ସମସ୍ତ ଚେଷ୍ଟା କରୁଛି ।
ଏଣୁ ଏହି ପ୍ରକ୍ରିୟା ସହଜ କରିବା ପାଇଁ ମୁଁ ଏକ ଅନଲାଇନ୍ ଫର୍ମ ତିଆରି କରିଛି, ଯାହାମାଧ୍ୟମରେ ରୋଗୀଙ୍କ ବିବରଣୀ ପାଇ ତାଙ୍କ ଆବଶ୍ୟକତାକୁ ବ୍ୟକ୍ତିଗତ ଭାବେ ତଦାରଖ କରିପାରିବି । ଯଦି ଆପଣଙ୍କର (କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କର) କୋଭିଡ଼ ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ଆବଶ୍ୟକତା ଥାଏ, ତେବେ ଦୟାକରି ନିମ୍ନଲିଖିତ ଅନଲାଇନ୍ ଫର୍ମ ପୂରଣ କରନ୍ତୁ । ଆସନ୍ତୁ ମିଶିକି ଚେଷ୍ଟା କରିବା, ପରସ୍ପରକୁ ସାହାଯ୍ୟ କରିବା । ମହାପ୍ରଭୁ ଜଗନ୍ନାଥ ନିଶ୍ଚିତ ବାଟ କଢେଇ ନେବେ ବୋଲି ସବ୍ୟ କହିଛନ୍ତି ।
ଅନଲାଇନ୍ ଫର୍ମ: https://docs.google.com/forms/d/1dotfRSh7cV-HJ6_Nws7NjgGNbGrH4KEW7pAYKikHYxQ/viewform?edit_requested=true
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ