ଭୁବନେଶ୍ବର: ଅଭିନେତା ରାଇମୋହନଙ୍କ ମୃତ୍ୟୁ ନେଇ ସସପେନ୍ସ ବଢିବାରେ ଲାଗିଛି । ମୃତ୍ୟୁ ରହସ୍ୟ ଉପରୁ ପରଦା ଏଯାଏଁ ହଟିନାହିଁ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତ୍ୟୁର ସପ୍ତାହ ପୂର୍ବରୁ ମଞ୍ଚେଶ୍ବର ଥାନା ଯାଇଥିଲେ ରାଇମୋହନ । କାହିଁକି ଥାନାକୁ ଯାଇଥିଲେ ରାଇମୋହନ ଥାନାରେ କେଉଁ ମାମଲା ଥିଲା ଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ମଞ୍ଚେଶ୍ବର ଥାନା ପୋଲିସ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
କାହିଁକି ଥାନାକୁ ଯାଇଥିଲେ ରାଇମୋହନ? ଏହା ପଛରେ ମୃତ୍ୟୁର କାରଣ ରହିଛି କି ନାହିଁ ତାର ତନାଘନା ଆରମ୍ଭ ହୋଇଛି । ରାଇମୋହନ କିଛି ଦିନ ହେଲା ମାନସିକ ଅବସାଦରେ ଥିଲେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ସେ କହିଛନ୍ତି ବିଭିନ୍ନ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ପରିବାର ଲୋକ, ସମ୍ପର୍କୀୟ ଓ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି । ସେଥିରୁ କିଛି ତଥ୍ୟ ମିଳିପାରେ ବୋଲି କହିଛନ୍ତି ଡିସିପି । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଇଆଇସି ମଞ୍ଚେଶ୍ବର ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ ତଦନ୍ତ ଓ ପୋଲିସର ଭୂମିକା ଏବେ ସଦେହ ଘେରକୁ ଆସିଛି ।
ମୃତ୍ୟୁର ସପ୍ତାହ ପୂର୍ବରୁ କୌଣସି ବ୍ୟକ୍ତିଗତ କାମ ପାଇଁ ରାଇମୋହନ ମଞ୍ଚେଶ୍ବର ଥାନାକୁ ଆସିଥିବା ଜଣାପଡିଛି । ଥାନାରେ ଆପୋଷ ବୁଝାମଣାପତ୍ର ଲେଖିଥିଲେ । ତେବେ ଏହି ଘଟଣା ସହ ତାଙ୍କ ମୃତ୍ୟୁର କିଛି ସମ୍ପର୍କ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ପ୍ରଶ୍ନ ଉଠୁଛି କଣ ପାଇଁ ରାଇମୋହନଙ୍କୁ ଥାନାକୁ ଆସିବାକୁ ପଡିଥିଲା । କେଉଁ ବିଷୟରେ ଲେଖାପଢା ହୋଇଥିଲା । ସେ କାହା ନାମରେ ଅଭିଯୋଗ ଆଣିଥିଲେ ନା ତାଙ୍କ ନାମରେ କିଏ ଅଭିଯୋଗ ଆଣିଥିଲେ ସେ ଉପରୁ ତଦନ୍ତ ପରେ ହିଁ ପରଦା ହଟିବ । ଅଭିନେତାଙ୍କ ଜୀବନରେ କଣ ଏମିତି ଘଟିଲା ସେ ଏପରି ଚରମ ନିଷ୍ପତ୍ତି ନେଲେ ତାର କାରଣ ଖୋଜୁଛି ପୋଲିସ ।