ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମିଳୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି । ଏନେଇ ଆନ୍ଦୋଳନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଦଳ ପକ୍ଷରୁ ଶନିବାର ବସିଥିଲା ଏକ ପ୍ରସ୍ତୁତି ସଭା । ଭୁବନେଶ୍ବର ଇନଷ୍ଟିଚ୍ୟୁସନ ଅଫ ଇଂଜିନିୟର୍ସର ସଭାଗୃହରେ ଆମ ଆଦମୀ ପାର୍ଟି ପକ୍ଷରୁ ଆୟୋଜିତ ହୋଇଛି ବୈଠକ । ଆପ ଓଡିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଛନ୍ତି । ରାଜ୍ୟରେ ବିଦ୍ୟୁତ ସରବରାହ ବାସ୍ତବିକ ସ୍ଥିତି ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି ଆପ ଓଡିଶାର ପ୍ରମୁଖ ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ।
୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନର ଯୁକ୍ତିଯୁକ୍ତତା ଏବଂ ଓଡିଶା ପରିପ୍ରେକ୍ଷୀରେ ଏହାର ଉପାଦେୟତାକୁ ନେଇ ସେ ବୈଠକରେ ଆଲୋଚନା କରିଛନ୍ତି । ବିଜୁଳି ଆନ୍ଦୋଳନକୁ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଆହ୍ବାନ ଦେଇଛନ୍ତି । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରଦାନ କରାଯାଇଛି । ଏହି ଅଭିଯାନର ସମୟ ଅବଧି ଦୁଇ ମାସ ସ୍ଥିରୀକୃତ କରାଯାଇଛି ।
ଉକ୍ତ ଦୁଇମାସରେ ଆପ ଓଡିଶାର ସମସ୍ତ କର୍ମକର୍ତ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି ଉଲ୍ଲେଖିତ ଥିବା ଦାବିପତ୍ରକୁ ନେଇ ଘରକୁ ଘର ଯିବେ । ଦସ୍ତଖତ ଅଭିଯାନ ସମ୍ପୂର୍ଣ୍ଣ କରିବା ପରେ ଉକ୍ତ ସଂଗୃହିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଆପ ଶାସିତ ଦିଲ୍ଲୀ ରାଜ୍ୟ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଏହାର ବିଦ୍ୟୁତ ଉପଭୋକ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଉଛନ୍ତି । ପଞ୍ଜାବରେ ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରିବା ପାଇଁ ଆପ ସରକାର ପ୍ରତିଶ୍ରୁତିବଦ୍ଧ ।
ଏହି ଦାବିକୁ ନେଇ ଗତବର୍ଷ ଆପ ଓଡିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ୭-ଏପ୍ରିଲ ରୁ ୧୦ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରିଥିଲେ । ଏହାକୁ ବିଜେପି ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ବିରୋଧୀ ଦଳ ସମର୍ଥନ କରିଥିଲେ । ମାତ୍ର କୋରୋନାର ଭୟାବହତା ଏବଂ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଅନୁରୋଧ କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା । ସଭା ପ୍ରାରମ୍ଭରେ ଆପ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ବାଇଁ ରାଜ୍ୟରେ ଆପର ସଙ୍ଗଠନ ବିସ୍ତାର ଉପରେ ଆଲୋକପାତ କରିଛନ୍ତି । ଏହି ସଭାରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତୃବୃନ୍ଦ ଏବଂ ସାମାଜିକ କର୍ମୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆପରେ ଯୋଗଦାନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ