ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ 609 ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର । ତେବେ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 9,864 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କୋରୋନା ମହାମାରୀ । କିଛିଦିନ ମଧ୍ୟରେ ରାଜ୍ୟରେରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 22 ଟି ଜିଲ୍ଲାରେ 609 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରୁ ଗଞାମର ସର୍ବାଧିକ 268 ରହିଛନ୍ତି ।
ସେହିଭଳି ସୁନ୍ଦରଗଡରେ 135, ଖୋର୍ଦ୍ଧାରେ 37, କଟକରେ 32, ବାଲେଶ୍ବରରେ 25, କେନ୍ଦୁଝରରେ 23, ମୟୁରଭଞ୍ଜରେ 18 ଜଣ, ଭଦ୍ରକରେ 12 ଜଣ, ପୁରୀ 12, ସମ୍ବଲପୁରରେ 8, ବରଗଡ ଓ ଜଗତସିଂହପୁରରେ 7 ଜଣ, ଯାଜପୁରରେ 6, ଝାରସୁଗୁଡା ଓ କେନ୍ଦ୍ରାପଡା ରେ 4, ବଲାଙ୍ଗୀରରେ 3 ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡାରେ 2 ଜଣ ଓ ଗଜପତି ଓ ନୟାଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏବେ କୋରୋନା ସୁସ୍ଥଙ୍କ ସଂଖ୍ୟା 9 ହଜାର 864 ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ