ଭୁବନେଶ୍ବର: କୋଭିଡ଼ ସଂକ୍ରମଣ ଯୋଗୁଁ ଲାଗିଥିବା କଟକଣା ଦୂର ହୋଇଛି । ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ ହେବ ଉତ୍କଳ ଦିବସ । ଉତ୍କଳ ଦିବସକୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଜାକଜମକର ସହ ପାଳନ କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି (ବୁଧବାର) ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ବସିଛି ।
ଉତ୍କଳ ଦିବସ ହେଉଛି ରାଜ୍ୟର ପ୍ରମୁଖ ସମାରୋହ । ଏହି କାର୍ଯ୍ୟକ୍ରମକୁ ଅତି ଆଡମ୍ବର ସହକାରେ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ପାଳନ କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ଉତ୍ସବ ଆୟୋଜନ ଲାଗି ଆକର୍ଷଣୀୟ ମଞ୍ଚ ନିର୍ମାଣ ସହିତ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯିବ ।
ଏହା ସହିତ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ଅନ୍ୟାନ୍ୟ ମେଟ୍ରୋ ନଗରୀ, ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଗୁଡ଼ିକରେ ମଧ୍ୟ ଓଡିଶା ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ, ରେଡକ୍ରସ ତରଫରୁ ସିଟିଏମ ସୁଗୁଣା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ସଂସ୍କୃତି ବିଭାଗର ନିର୍ଦେଶକ ରଂଜନ କୁମାର ଦାସ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦେଶକ ସୁରେନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ