ଭୁବନେଶ୍ବର: 3 ଦିନିଆ ଓଡିଶା ଗସ୍ତରେ ଆସିବେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାର। ଅଗଷ୍ଟ 30 ରୁ ସେପ୍ଟେମ୍ବର 1 ଯାଏ ଓଡିଶାରେ ରହି ଦଳୀୟ ନେତାଙ୍କ ସହ ଆଲୋଚନା କରିବେ କଂଗ୍ରେସ ପ୍ରଭାରୀ । ସେପ୍ଟେମ୍ବର ୧ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚେଲ୍ଲାଙ୍କ ଗସ୍ତ ଗୁରୁତ୍ବବହନ କରୁଛି ।
ଚେଲ୍ଲା କୁମାରଙ୍କ 3 ଦିନିଆ ଓଡିଶା ଗସ୍ତ କଂଗ୍ରେସ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ। ବିଧାନସଭା ପୂର୍ବରୁ ବିଧାୟକ ଦଳର ବୈଠକରେ ଯୋଗ ଦେବେ ଚେଲ୍ଲା କୁମାର। ବିଧାନସଭାରେ କଂଗ୍ରେସର କଣ ରଣନୀତି ରହିବ, ସେନେଇ ବୈଠକରେ ଆଲୋଚନା ହେବ। ସରକାରଙ୍କୁ କେଉଁ ପ୍ରସଙ୍ଗରେ ଦଳ ଘେରିବ, ସମ୍ପୂର୍ଣ୍ଣ ଅଧିବେଶନରେ ଦଳର କଣ ଆଭିମୁଖ୍ୟ ରହିବ ତାହା ବୈଠକରେ ସ୍ଥିର ହେବା ନେଇ ସୂଚନା ରହିଛି ।
ସେହିପରି ଆଗକୁ ପଞ୍ଚାୟତ ନିର୍ବାଚନ ମଧ୍ୟ ଆସୁଛି। କଂଗ୍ରେସର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରାଯିବା ନେଇ ମଧ୍ୟ ଦଳ କିଛି ଗଠନମୂଳକ ପଦକ୍ଷେପ ନେଇପାରେ । ଶାସକ ବିଜେଡି ଓ ବିଜେପି ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଥିବାବେଳେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଜୋରଦାର କରିବ ବୋଲି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଏହି 3 ଦିନରେ କଂଗ୍ରେସର ବିଧାୟକ ସମେତ ତୁଙ୍ଗ ନେତା, ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତାଙ୍କୁ ଭେଟି ଆଲୋଚନା କରିବେ ପ୍ରଭାରୀ ଚେଲ୍ଲା କୁମାର।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ