ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ମଧ୍ୟ ଗୃହ ଅଚଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଦିନ ସାଢେ 11 ଟା ପର୍ଯ୍ୟନ୍ତ ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି(Odisha Assembly Speaker) ସୂର୍ଯ୍ୟ ନାରାୟଣ ପାତ୍ର । ମାତ୍ର ସର୍ବଦଳୀୟ ବୈଠକରେ ଉପସ୍ଥିତ ହେଲେ ନାହିଁ ବିରୋଧୀ । ଫଳରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି ।
ତେବେ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ରଣକ୍ଷେତ୍ର ପାଲଟିଛି ଗୃହ । ପ୍ରତିଦିନ ଗୃହରେ ଘଣ୍ଟ ବାଡେଇବା ସହ ଗଙ୍ଗାଜଳ ସିଞ୍ଚନ କରୁଛନ୍ତି ବିରୋଧି । ଆଜି ମଧ୍ୟ ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ଘଣ୍ଟା ବାଡେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବି କରିଥିଲେ ବିରୋଧୀ। 'ମମିତା ହତ୍ୟାକାରୀ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଗିରଫ' ଲେଖା ଯାଇଥିବା ପ୍ଲା-କାର୍ଡ ଧରି ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ଫଳରେ ଦିନ ସାଢେ 11ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ମାତ୍ର ସାଢେ 11 ରେ ମଧ୍ୟ ଚାଲିପାରିନି ଗୃହ । ସର୍ବଦଳୀୟ ବୈଠକ ଡାକି ଦିନ 12ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ହେଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସର୍ବ ଦଳୀୟ ବୈଠକକୁ ବର୍ଜନ କରିଥିଲେ। ଏହାପରେ ମଧ୍ୟାହ୍ନ ୧୨ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଗତକାଲି ଯୁବ ବିଜେଡିର ବିଧାନସଭା ଘେରାଉ ଓ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ଶାସକ ବିଜେଡି ।
ବିଜେଡି ବିଧାୟକ ରାଜକିଶୋର ଦାଶ କହିଛନ୍ତି ଯେ, 'ବିଜେପି ତା'ର ଅସଲ ରୂପ ଦେଖାଉଛି । ବିରୋଧ ପ୍ରଦର୍ଶନ ପାଇଁ ହିଂସାର ସହାୟତା ନେଉଛି ବିଜେପି । ଯାହାର ଉଦାହରଣ ହେଉଛି ଉତ୍ତର ପ୍ରଦେଶର ବିଜେପି ସରକାର।'
ଅନ୍ୟପଟେ ବିଜେପି ପକ୍ଷରୁ ସରକାରଙ୍କୁ ସିଧା ଆକ୍ରମଣ କରାଯାଉଛି । ହିଂସା ମାର୍ଗ ବିଜେପି ନୁହେଁ ବିଜେଡ଼ି ଆପଣେଇଛି । ମମିତାକୁ ଯେଉଁଭଳି ଅମାନୁଷିକ ଭାବେ ହତ୍ୟା କରାଗଲା ତାହା ସବୁ ହିଂସାଠୁ ବଳିଗଲା ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଷ୍ଣୁ କହିଛନ୍ତି ଅଭିଯୁକ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି କି ଗୃହକୁ ଆସୁ ନାହାନ୍ତି ।
ସେପଟେ ବିରୋଧୀ କଂଗ୍ରେସ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଅଭିଯୋଗ କରିଛି । ଜାଣି ଶୁଣି ଗୃହକୁ ଚଳାଇ ଦେଉନାହାନ୍ତି ସରକାର । ଟ୍ରେଜେରି ବେଞ୍ଚରେ ବସି ଜାଣି ଶୁଣି ପ୍ରଶ୍ନ କାଳ, ଶୂନ୍ୟ କାଳ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାର ଆଲୋଚନା କରାଇ ଦେଉ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ବଡ଼ କଥା ହେଉଛି କି ଅଭିଯୁକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ପୂର୍ବ ଭଳି ଅଭିଯୋଗ ଓ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଚେଲା ଚାମୁଣ୍ଡା ଦ୍ଵାରା ସରକାର ପରିଚାଳିତ ହେଉଛି ବୋଲି ସାଲୁଜା ଅଭିଯୋଗ ଆଣିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Odisha Assembly Winter Session: ବାୟୁସେନା ଦୁର୍ଘଟଣା ନେଇ ଗୃହରେ ଶୋକ, 4ଟା ଯାଏଁ ମୁଲତବୀ
ସେପଟେ ବାଚସ୍ପତିଙ୍କ ତିନି-ତିନି ଥର ସର୍ବଦଳୀୟ ବୈଠକ ବିଫଳ ହୋଇଛି । ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ଅଡି ବସିଛନ୍ତି ବିରୋଧୀ । ଗତକାଲି ଅର୍ଥାତ ଗୁରୁବାର କେବଳ ଗୋଟିଏ ଦିନ ପାଇଁ ଚାଲିଥିଲା ଗୃହ । ବାୟୁସେନା ଦୁର୍ଘଟଣାରେ ଦିବଂଗତ CDS ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ କିଛି ସମୟ ଗୃହ ଚାଲିବା ପରେ ମୁଲତବୀ ହୋଇ ଯାଇଥିଲା । ତେବେ ପ୍ରତିଦିନ ଏପରି ହେବା ଦ୍ବାରା ଅତିରିକ୍ତ ବିଲ୍ ଆଗତ ନେଇ ଆଶାଙ୍କା ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ