ଭୁବନେଶ୍ବର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁକ୍ରବାର ‘ଓଡ଼ିଶା ଟ୍ରାଭେଲ୍ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍ଗୁଡିକୁ ଉଦଘାଟନ କରିଛନ୍ତି ।
ଓଡିଶା ପର୍ଯ୍ୟଟନପକ୍ଷରୁ ସ୍ଥାନୀୟ ତାରକା ହୋଟେଲରେ ଖୋଲିଥିବା ଏହି ଷ୍ଟଲ୍ଗୁଡ଼ିକୁ ମନ୍ତ୍ରୀ ବୁଲି ଦେଖିଥିଲେ । ସେ ବିଭିନ୍ନ ଷ୍ଟଲ୍କୁ ଯାଇ ଓଡିଶାର ପର୍ଯ୍ୟଟନ ସାମଗ୍ରୀ ବିପଣନରେ ନିୟୋଜିତ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାଗୁଡ଼ିକର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଏବଂ ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ଅଭିବୃଦ୍ଧି ଦିଗରେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି ଭାରତର ବିଭିନ୍ନ ରାଜ୍ୟରୁ 60ଜଣ ଟୁର ଅପରେଟର ଓ ବିଦେଶରୁ 25ଜଣ ଟୁର ଅପରେଟର । ଓଡ଼ିଶାର ପର୍ଯ୍ୟଟନ ସାମଗ୍ରୀର ବିପଣନ ପାଇଁ ମାର୍ଗ ପ୍ରଶସ୍ତ କରିବାକୁ ବିଭିନ୍ନ ସଂସ୍ଥା 53ଟି ଷ୍ଟଲ୍ ଖୋଲିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଟ୍ରାଭେଲ୍ ଏଜେନ୍ସି, ଟୁର ଅପରେଟର, ହୋଟେଲିୟର ଏବଂ ହସ୍ପିଟାଲିଟି ଅନୁଷ୍ଠାନ ।
ଶୁକ୍ରବାରଠାରୁ ଦୁଇଦିନ ପାଇଁ ଦେଶର ଟୁର ଅପରେଟରମାନଙ୍କ ସହିତ ବ୍ୟବସାୟିକ ଓ ବୈଷୟିକ ଆଲୋଚନା ଚାଲିବ । 20 ତାରିଖ ଦିନ ବିଦେଶର ଟୁର ଅପରେଟରମାନେ ଟ୍ରାଭେଲ୍ ବଜାରରେ ଯୋଗଦେବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଓଡିଶାର ବିଭିନ୍ନ ପର୍ଯ୍ୟଟନ ବିଭବ ସହିତ ସଂପୃକ୍ତ ଓ ପରିଚିତ ହେବା ପାଇଁ ବିଦେଶୀ ଟୁର ଅପରେଟରମାନେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପାଣିଗ୍ରାହୀଙ୍କ ସମେତ ହୋଟେଲ୍ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଶ୍ରୀ ଜେ.କେ ମହାନ୍ତି, ଭାରତୀୟ ବାଣିଜ୍ୟ ମହାସଂଘ(ଫିକି)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି ଓ ବରିଷ୍ଠ ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ମଧ୍ୟ ବୈଷୟିକ ଆଲୋଚନାରେ ସହଯୋଗ କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରଚ