ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ 8.2 କୋଟି ମଞ୍ଜୁର କରିଛନ୍ତି ମୋଦି ସରକାର । ଏହାସହ ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି । ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀମାନେ ମଧ୍ୟ ଏହାର ଲାଭ ପାଉଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହା କହିଥିବା ବେଳେ ଏଥିପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ପୁଣି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାରେ ରାଜ୍ୟର ୬୩, ୨୨୨ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ଭାରତ ସରକାର ଓଡ଼ିଶା ପାଇଁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୦.୮୧ କୋଟି ଟଙ୍କା ଦେଇଛନ୍ତି ।
ଏହି ଯୋଜନାରେ ଦେଶର ସହର ମାନଙ୍କରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ ୭% ରିହାତି ଦିଆଯିବ ।
ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ