ଭୁବନେଶ୍ବର: କୋଭିଡ ମହାମାରୀ ସମୟରେ ଜରୁରୀ ସାମଗ୍ରୀ ପରିବହନ କ୍ଷେତ୍ରରେ କର୍ମଚାରୀମାନଙ୍କ ନିଷ୍ଠା ଓ ପ୍ରୟାସକୁ ପ୍ରଶଂସା କରାଯାଇଛି । ଭାରତୀୟ ରେଳବାଇରେ ପୂର୍ବତଟ ରେଳପଥ ହେଉଛି ପ୍ରଥମ ଜୋନ ଯାହା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ବିଶାଖାପାଟଣାଠାରୁ ପ୍ରଥମେ ତରଳ ମେଡିକାଲ ଅମ୍ଳଜାନର ପରିବହନ କରିଥିଲା । ତେବେ ସ୍ବାଧୀନତା ଦିବସ ପାଳନ ଅବସରରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।
ସ୍ବାଧୀନତା ଦିବସ ପାଳନ ସମୟରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥର ପ୍ରଦର୍ଶନ ଓ ରେଳ କର୍ମଚାରୀମାନଙ୍କର ସାମୂହିକ ପ୍ରୟାସ ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳ ନେଟୱାର୍କର ସମ୍ପ୍ରସାରଣ, ଡିଜିଟାଲ ପଦକ୍ଷେପ ଏବଂ ମାନବ ସମ୍ବଳ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ମହାମାରୀ ସମୟରେ ଜରୁରୀ ସାମଗ୍ରୀ ପରିବହନ କ୍ଷେତ୍ରରେ କର୍ମଚାରୀଙ୍କ ନିଷ୍ଠା ଓ ପ୍ରୟାସକୁ ପ୍ରଶଂସା କରିଥିଲେ ।
ପୂର୍ବତଟ ରେଳପଥ ତରଳ ମେଡିକାଲ ଅମ୍ଳଜାନର ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇ ଦ୍ବାରା ଅମ୍ଳଜାନ ପରିବହନ ଭାଗ ପରିବହନ କରିଛି । ଗତ ଆର୍ଥିକ ବର୍ଷ ଠାରୁ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅଧିକ ମାଲ ପରିବହନ କରିଛି ଏବଂ ରେଳ ବୋର୍ଡ ଦ୍ବାରା ସ୍ଥିର ହୋଇଥିବା ଲୋଡିଂ ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ମଧ୍ୟ ଅତିକ୍ରମ କରିଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଦ୍ୟୁତୀକରଣ କାର୍ଯ୍ୟ ସମାପ୍ତ ହୋଇଛି । 2021-22ରେ ଜୁଲାଇ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ସର୍ବାଧିକ ଲୋଡିଂ ହାସଲ କରିଛି ।
ଏହି ସମୟ ମଧ୍ୟରେ, ଏହି ରେଳବାଇ ଗତ ବର୍ଷ ସମାନ ସମୟ ତୁଳନାରେ 18MT (ନିୟୁତ ଟନ) ଅଧିକ ମାଲ ପରିବହନ କରିଛି। ଔଷଧ, ଖାଦ୍ୟ ଶସ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପାର୍ସଲ ପରିବହନ ପାଇଁ ପୂର୍ବତଟ ରେଳପଥ ମାଲବାହୀ ଟ୍ରେନ୍ ଗୁଡ଼ିକୁ ପ୍ରାଥମିକତା ଦେଇ ଚଳାଚଳ କରାଇଥିଲା ଏବଂ ଏହା ବ୍ୟତୀତ ଆମର ବହୁମୂଲ୍ୟ ଦ୍ରବ୍ୟ ଯଥା ଲୁହାପଥର, କୋଇଲା, ଇସ୍ପାତ ଇତ୍ୟାଦି କୁ ମଧ୍ୟ ପରିବହନ କ୍ଷେତ୍ରରେ ପ୍ରାଥମିକତା ଦେଇଥିଲା। ମହାମାରୀ ସମୟରେ ଟ୍ରେନ୍ ଚଲାଇବାରେ ଜଡିତ ଥିବା ଉତ୍ସର୍ଗୀକୃତ ସେବା ପାଇଁ ଲୋକୋ ପାଇଲଟ୍, ଷ୍ଟେସନ୍ ମାଷ୍ଟର, ଗାର୍ଡ, ଟିଟିଇ, ଆରପିଏଫ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ଉଦ୍ୟମକୁ ମହାପ୍ରବନ୍ଧକ ପ୍ରଶଂସା କରିଛନ୍ତି।
ରେଳବାଇ ଡାକ୍ତର, ନର୍ସ, ପାରାମେଡିକ୍, ସ୍ବାସ୍ଥ୍ୟସେବା କର୍ମଚାରୀ, RPF କର୍ମଚାରୀ, ଟ୍ରେନ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ସହାୟତା ବିଭାଗ ଏବଂ ମହାମାରୀ ସମୟରେ ଯେଉଁମାନେ ନିଷ୍ଠାପର ସେବା ପ୍ରଦାନ କରିଛନ୍ତି ସେମାନଙ୍କୁ ସେ ପ୍ରଶଂସା କରିଥିଲେ । ଭୁବନେଶ୍ବର ସ୍ଥିତ ରେଳବାଇ ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 75ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଜାତୀୟ ପତାକା ଉତ୍ତୋଳନ କରି କୋଭିଡ ପ୍ରଟୋକଲ ଅନୁପାଳନ ସହିତ ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ