ଭୁବନେଶ୍ବର: ଲୁଟର ନୂଆ ଫଣ୍ଡା । ସପିଂ କଲେ ପରେ ବିଲ ନ ଦେଇ ଧମକ ଦେଲେ । ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ କହି ଲୁଟି ନେଲେ 50 ହଜାର ଟଙ୍କାର ଜିନିଷ । ମହିଳାଙ୍କ ଲୁଟ ଡ୍ରାମାର ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାଜଧାନୀ ତମାଣ୍ଡୋ ସ୍ଥିତ ରେନଗାଲିଆ ମଲରେ ଜଣେ ମହିଳା ଏପରି ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।
ସୂଚନା ମୁତାବକ ଗୁରୁବାର ସନ୍ଧ୍ଯା ୭ ଟା ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ରେନଗାଲିଆ ମଲରେ ଥିବା ଦୁଲହନ ଶାଢୀ ଦୋକାନରେ ପହଞ୍ଚିଥିଲେ। ନିଜକୁ ଦୋକାନର ମାଲିକଙ୍କ ପାର୍ଟନର ସମ୍ପର୍କୀୟ କହି ଶାଢୀ ଡିଜାଇନ ଦେଖାଇବାକୁ କହିଥିଲେ । ଶାଢୀ ପସନ୍ଦ ହେବା ପରେ ବିଲି ପାଇଁ କୁହାଯାଇଥିଲା । ଦୋକାନ ମାଲିକଙ୍କୁ ଟଙ୍କା ଦେଇ ଦେଇଛି କହି ବିଲ କାଟିବାକୁ କହିଥିଲେ । ହେଲେ ସେଲସମ୍ଯାନ ରାଜି ନହେବାରୁ ତାକୁ ଦୁଷ୍କର୍ମ ମାମଲାରେ ଫସାଇ ଦେବେ କହି ମହିଳା ଜଣଙ୍କ ମଲ ଭିତରେ ଡ୍ରାମା କରିଥିଲେ ଏବଂ ପରେ ସେଠାରୁ ଟଙ୍କା ନଦେଇ ଶାଢୀ ନେଇ ଫେରାର ହୋଇଯାଇଥିଲେ ।
ମହିଳାଙ୍କ ଏପରି କାରନାମାକୁ ନେଇ ତମାଣ୍ଡୋ ଥାନାରେ ଦୋକାନର ମ୍ୟାନେଜର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ଯେଉଁ OD 02AP 9001 କାରରେ ଫେରାର ହେବା ସହ ମହିଳାଙ୍କ ଦେଇଥିବା ମୋବାଇଲ ନମ୍ବର ଦେଇ ଥାନାରେ ଅଭିଯୋଗ କରିଛନ୍ତି।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଠକ । ଯିଏ କି ପୂର୍ବରୁ ୟୁନିଟ ୮ ମାଛ ମାର୍କେଟରେ ମଧ୍ଯ ମାଛ କିଣି ପଇସା ନଦେଇ ହଙ୍ଗାମା କରି ପୋଲିସ ସ୍କାନରକୁ ଆସିଥିଲେ। ଏପରିକି ଅନେକ ସମୟରେ ନିଜକୁ ମିଡିଆ ଓ ବହୁ ଉପରିସ୍ତ ପୋଲିସ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଠକାମି କରୁଥିବାର ନଜିର ରହିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏଭଳି ନୂଆ ଫଣ୍ଡାର ଲୁଟପାଟ ନେଇ ପୋଲିସର ଚିନ୍ତା ବଢିଥିବା ବେଳେ ଏନେଇ ମହିଳାଙ୍କୁ କମିସନରେଟ ପୋଲିସ ପକ୍ଷରୁ ଟ୍ରାକ କରାଯାଉଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ