ଭୁବନେଶ୍ବର: ରାଜ୍ୟ ପାଇଁ ଚିନ୍ତା ବଢାଉଛନ୍ତି କୋଲକାତା ଓ ସୁରଟ ଫେରନ୍ତା । ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ବର୍ତ୍ତମାନ ସୁଦ୍ଧା 209 ରେ ପହଞ୍ଚିଛି। କୋଲକାତା ଓ ସୁରଟରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ପଜେଟିଭ ବାହାରୁଛି। ଯାହା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି।
ତେବେ ଆଜି ସକାଳ ସମୟରେ 20 ଆକ୍ରାନ୍ତ ବାହାରିଥିବା ବେଳେ ଏବେ ପୁଣି 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବାବେଳେ 2 ଜଣ ବାଲେଶ୍ବରର ଅଛନ୍ତି ।
ଜଗତସିଂହପୁରର 70 ବର୍ଷୀୟ ପୁରୁଷ ଜଣଙ୍କ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି । ସେହିପରି ବାଲେଶ୍ବରର ଜଣେ 26 ବର୍ଷୀୟ ଓ ଅନ୍ୟଜଣେ 29 ବର୍ଷୀୟ ପୁରୁଷ ସୁରଟରୁ ଫେରିଛନ୍ତି ।
ସେପଟେ ବାଲେଶ୍ବରରେ ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 27କୁ ଛୁଇଁଛି । ଯେଉଁଥିରେ 5 ଜଣ ସୁସ୍ଥ ହୋଇଥିବାବେଳେ 22ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟେ ଜଗତସିଂହପୁରରେ ମୋଟ 5 ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ 209ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 145ଟି ମାମଲା ସକ୍ରିୟ ରହିଛି । 62 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ