ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟକୁ ଅଭିନବ ଉପାୟରେ ପରିଚାଳନା ନେଇ ଭୁବନେଶ୍ବରରେ ଆରମ୍ଭ ହେଲା ବିମଷ୍ଟେକ ସମ୍ମିଳନୀ। ବିମଷ୍ଟେକ ରାଷ୍ଟ୍ର ସମୂହର ମକଡ୍ରିଲ ଏକ୍ସରସାଇଜ। ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । 1999 ମହାବାତ୍ୟା ଭଳି ଭୟଙ୍କର ପ୍ରାକୃତିକ ଆପଦା ମଧ୍ୟ ଦେଖିଛି । ଓଡିଶା ଭଳି ପ୍ରାଚୀନ ଐତିହ୍ୟ ସଂସ୍କୃତିର ସହରରେ ବାତ୍ୟା, ବନ୍ୟା ଭଳି ପ୍ରତିକୂଳ ପରିବେଶରେ କିଭଳି ଭାବରେ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ କରିହେବ ସେନେଇ ଚଳିତ ବର୍ଷ ବିମଷ୍ଟେକ ସମ୍ମିଳନୀର ଥିମ ରହିଛି ।
ରାଜ୍ୟରେ ପ୍ରଥମ ଥର ପାଇଁ ଓସଡାମା କାର୍ଯ୍ୟଶୈଳୀ ଉଦ୍ୟମ ଆରମ୍ଭ ହୋଇଥିଲା । ମଙ୍ଗଳବାର ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦ୍ବିତୀୟ ବିମଷ୍ଟେକ 2020କୁ ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡିଶା ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ସଠିକ ଜ୍ଞାନକୌଶଳ ଉଦ୍ୟମ ବଳରେ ବିପର୍ଯ୍ୟୟର ମୁକାବିଲା କରିବାରେ ସକ୍ଷମ ହୋଇଛି ରାଜ୍ୟ। ରାଜ୍ୟର ଓଡ୍ରାଫ ଟିମ କେରଳ ଓ ମେଘାଳୟ ଯାଇ ଜନଜୀବନ ରକ୍ଷା କରିବାରେ ମଧ୍ୟ ସକ୍ଷମ ହୋଇଛି।
ରାଜ୍ୟରେ 2ଟି ସ୍ଥାନରେ ଏନଡିଆରଏଫ ଅବସ୍ଥିତି ରହିଛି । ଯାହାର ଖୁବଶୀଘ୍ର ନୂଆ ୟୁନିଟ ସମ୍ପ୍ରସାରଣ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ବିଶ୍ବ ଐତିହ୍ୟ ଓ ପ୍ରତ୍ନତାତ୍ତ୍ବିକ ଗୁରୁତ୍ବ ଥିବା ସ୍ଥଳ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି।
ବିମଷ୍ଟେକ ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ, ନେପାଳ, ମିଆଁମାର ଏବଂ ଶ୍ରୀଲଙ୍କାର ପ୍ରାୟ 200ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି । ଫେବୃଆରୀ 11 ରୁ 3 ଦିନ ଧରି ଚାଲିବ ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ । ତେବେ ବୁଧବାର ପୁରୀ ରାମଚଣ୍ଡୀ ସମୁଦ୍ର କୂଳରେ ଏହି ଅଭ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ