ଭୁବନେଶ୍ବର: କୃଷି ଅର୍ଥନୈତିକ ଗବେଷଣା ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଓୟୁଏଟିରେ ପାଳିତ। କୃଷି ଅର୍ଥନୈତିକ ଗବେଷଣା ସଂଘର ବାର୍ଷିକ ସମ୍ମିଳନୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି। ଯାହାର ଶୀର୍ଷକ ରହିଥିଲା "ଭାରତରେ ସରକାରୀ ନୀତି ଏବଂ କୃଷିର ପରିବର୍ତ୍ତନ”।
ବୈଷୟିକ ଅଧିବେଶନରେ, "ଓଡ଼ିଶାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରରେ ପୃଷ୍ଟି ଏବଂ ଜୀବିକା ଏକ ବିଶେଷ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଜାତୀୟ ବୃଷ୍ଟିପୁଷ୍ଟ ଅଞ୍ଚଳ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଶୋକ କୁମାର ଦଳାଇ ଯୋଗ ଦେଇ ସ୍ଥାନକରଣରେ କୃଷି ଉପରେ ଅଭିଭାଷଣ ଦେଇଥିଲେ । ଉତ୍ପାଦନ ଏବଂ ଆୟରେ ଥିବା ତାରତମ୍ୟ ଦୂର କରିବା ପାଇଁ ଉତ୍ପାଦନ ଶୈଳୀର ପରିବର୍ତ୍ତନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଆଲୋଚନା ମାଧ୍ୟମରେ ଡକ୍ଟର ଦଳାଇ, ରାଜ୍ୟରେ ମାଧ୍ୟମିକ କୃଷି (Secondary Agriculture) ପାଇଁ ଏକ ଭିନ୍ନ ନିର୍ଦ୍ଦେଶାଳୟ ସୃଷ୍ଟି କରିବା ପାଇଁ ମତ ଦେଇଥିଲେ।
ରାଜ୍ୟରେ କୃଷିର ବିକାଶରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରିଥିଲେ। ଗ୍ରାମ୍ୟସ୍ତରରେ ପ୍ରାଥମିକ ପ୍ରକ୍ରିୟାକରଣ ବ୍ୟବସ୍ଥା ସୃଷ୍ଟି, ସାସ୍ଥ୍ୟକର ପୃଷ୍ଟି ଯୁକ୍ତ ଖାଦ୍ୟ ମାଧ୍ୟମରେ ଖାଉଟିମାନଙ୍କର ଖାଦ୍ୟାଭ୍ୟାସର ପରିବର୍ତ୍ତନ ପାଇଁ ସରକାର ଗୁରୁତ୍ବ ଆରୋପ କରିବା ପାଇଁ ସେ ମତ ଦେଇଥିଲେ । ଏହାସହିତ କୃଷି ଗବେଷଣା ଏବଂ ଜ୍ଞାନକୌଶଳ ଉଦ୍ଭବ ପ୍ରଣାଳୀକୁ ଅଧିକ ମଜଭୁତ କରିବା ପାଇଁ ଅଧିକ ଅର୍ଥ ସହଯୋଗ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଓଡ଼ିଶାରେ କୃଷିର ଉନ୍ନତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବା ପାଇଁ ନାବାର୍ଡ଼, କୃଷି ଅର୍ଥନୈତିକ ଗବେଷଣା ସଂଘ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏକ ମିଳିତ ଉଦ୍ୟମ କରିବା ପାଇଁ ସେ ମତ ରଖିଥିଲେ ।
ଏହି ବୈଷୟିକ ଅଧିବେଶନର ଅଧ୍ୟକ୍ଷତା କରି ଓୟୁଏଟିର କୁଳପତି ଡକ୍ଟର ପି.ଜେ. ଅଗ୍ରୱାଲ କୃଷି ଉତ୍ପାଦନର ବୃଦ୍ଧି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ପରିଭ୍ରମଣ, ଅର୍ନ୍ତଜାତୀୟ ଅଧ୍ୟାପକମାନଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ, ତଥା ଓୟୁଏଟି ଦ୍ବାରା “ଓୟୁଏଟି କଳିଙ୍ଗ” ବ୍ରାଣ୍ଡ ସ୍ଥାପନ ଉପରେ ଆଲୋକପାତ କରିଥିଲେ ।
ବିଶ୍ଵବିଦ୍ୟାଳୟ ଦ୍ଵାରା କୃଷି ପ୍ରଯୁକ୍ତ ବିଦ୍ୟାର ବ୍ୟବସାୟୀକରଣ ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ' କୃଷି କଳିଙ୍ଗ ଇନୋଭେସନ୍ କାଉନସିଲିଂ"ର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ଏହି ବାର୍ଷିକ ସମ୍ମିଳନୀ ଅନେକ ଜାତୀୟ ତଥା ଅର୍ନ୍ତଜାତୀୟ ବୈଜ୍ଞାନିକମାନଙ୍କ ଯୋଗଦାନ ସହିତ ଚଳିତ ମାସ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ହାଇବ୍ରିଡ଼ ମୋଡ଼ରେ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମଟି ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅନଲାଇନ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ପଞ୍ଜନ କୁମାର ଅଗ୍ରୱାଲ ପୌରୋହିତ୍ୟ କରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରର ଅପପୁଷ୍ଟି ଓ ଜୀବିକା ସୁରକ୍ଷାରେ ସହଯୋଗୀ ସରକାରୀ ନୀତିର ଭୂମିକା ଉପରେ ଗୁରୁତ୍ବ ଆରୋପ କରିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ