ଭୁବନେଶ୍ବର: ଆପଣ ନିଜ ଜୀବନରେ ଅନେକ ଦାମୀ ଓ କମ୍ ଦାମୀ ପେନ୍ର ବ୍ୟବହାର କରିଥିବେ । ହେଲେ ବ୍ୟବହାର ପରେ ସେହି ପେନ୍ ପରିବେଶର କୌଣସି କ୍ଷତି କରୁନଥିବ ତାହା ଜାଣିନଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ପେନ ବିଷୟରେ କହିବୁ ଯାହା ବ୍ୟବହାର ପରେ ଅଦରକାରୀ ହୋଇଗଲେ ମଧ୍ୟ ଆପଣଙ୍କୁ ଏକ ସୁସ୍ଥ ପରିବେଶ ଦେବାରେ ସହାୟ ହେବ ।
ଏଣିକି ପେନରୁ ବାହାରିବ ଗଛ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ଏଭଳି ଅବିଶ୍ବସନୀୟ କଥାକୁ ବାସ୍ତବତାର ରୂପ ଦେଇଛନ୍ତି ଭୁବନେଶ୍ବରର ଦୁଇ ଯୁବ ଇଞ୍ଜିନିୟରିଂ ଛାତ୍ର । ନିଜ ଇନୋଭେଟିଭ୍ ଆଇଡିଆ ମାଧ୍ୟମରେ ପ୍ରେମ ଓ ଅହମ୍ମଦ ଆବିଷ୍କାର କରିଛନ୍ତି 2 ପ୍ରକାରର ଇକୋ ଫ୍ରେଣ୍ଡଲୀ ପେନ୍ । ପ୍ଲାଷ୍ଟିକ ବଦଳରେ ଏହି ପେନ୍ 2ଟିରେ ବିଭିନ୍ନ ପନିପରିବା, ଫଳ, ଫୁଲର ମଞ୍ଜି ଓ ଅଦରକାରୀ ଖବରକାଗଜର ବ୍ୟବହାର ହୋଇଛି । ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।
ଆଧୁନିକ ଯୁଗରେ ରାଜ୍ୟ ଠାରୁ ଆରମ୍ଭ କରି ଦେଶବିଦେଶରେ 'ୟୁଜ୍ ଆଣ୍ଡ ଥ୍ରୋ' ପେନର ଚାହିଦା ରହିଛି । ହେଲେ ଏହି ୟୁଜ୍ ଆଣ୍ଡ ଥ୍ରୋ ପେନ୍ ପ୍ଲାଷ୍ଟିକରେ ତିଆରି ହେଉଥିବାରୁ ପରିବେଶ ପ୍ରଦୂଷଣ ହେବାରେ ଲାଗୁଛି । ଦେଶକୁ ଏହି ପ୍ରଦୂଷଣ ଭଳି ସଙ୍କଟରୁ ମୁକ୍ତ ରଖିବାକୁ ଅଦରକାରୀ ମଞ୍ଜି ଓ ପେପରରୁ 2ଟି ପ୍ଲାଷ୍ଟିକ୍ ଫ୍ରି ପେନର ଆବିଷ୍କାର କରିଛନ୍ତି ଏହି ଯୁବ ଇଞ୍ଜିନିୟର । ଯାହାର ବ୍ୟବହାର ସରିବା ପରେ ଫୋପାଡିଲେ ଏହା ଖୁବ ଶୀଘ୍ର ମାଟିରେ ମିଶିଯିବ । ଏହି ପେନର ନାମ 'ଲିଖନା' ରଖାଯାଇଥିବାବେଳେ ମୂଲ୍ୟ 5 ଟଙ୍କା ଓ 7 ଟଙ୍କା ରହିଛି ।
ପେନ୍ର ଆବିଷ୍କାରକ ଅହମ୍ମଦ କହିଛନ୍ତି ଯେ, ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାବେଳେ ଏହି ପେନ୍ ତିଆରି ପାଇଁ ଆମେ ଚିନ୍ତା କରିଥିଲୁ । ୟୁଜ ଆଣ୍ଡ ଥ୍ରୋ ପେନ୍ ସହଜରେ ମାଟିରେ ମିଶୁନଥିବା ବେଳେ ଏହା ପରିବେଶକୁ ପ୍ରଦୂଷଣ ମଧ୍ୟ କରିଥାଏ । କିନ୍ତୁ ଆମେ ତିଆରି କରିଥିବା ଏହି ପ୍ଲାଷ୍ଟିକ୍ ମୁକ୍ତ ପେନ୍ ସହଜରେ ମାଟିରେ ମିଶିଯିବ ଏବଂ ପରିବେଶ ପାଇଁ କୌଣସି କ୍ଷତିକାରକ ସାବ୍ୟସ୍ତ ହେବନାହିଁ ।
ସେହିପରି ଅନ୍ୟ ଜଣେ ଆବିଷ୍କାରକ ପ୍ରେମ କହିଛନ୍ତି, ଖୁବ ଶୀଘ୍ର ମାର୍କେଟକୁ ଏହି 2ଟି ପେନ ଆଣବାକୁ ଆମେ ଯୋଜନା ରଖିଛୁ । ଯାହା ପରିବେଶକୁ ପ୍ରଦୂଷଣମୁକ୍ତ ରଖିବ । ଆଧୁନିକ ସମୟରେ ଉଭୟ ଯୁବ ଛାତ୍ରଙ୍କ ଏଭଳି ପେପର ଓ ମଞ୍ଜି ପେନ୍ର ଆବିଷ୍କାର ସ୍ବାଗତଯୋଗ୍ୟ ଓ ପ୍ରଶଂସନୀୟ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ