ଭୁବନେଶ୍ବର: ଓଡିଶାମୁହାଁ ଉତ୍ତରପ୍ରଦେଶର ଅପରାଧୀ । କ୍ରାଇମ ସିଟି ୟୁପି ଛାଡି ଏବେ ରାଜଧାନୀରେ ଆଡ୍ଡା ଜମାଇଲେଣି ବ୍ରାଉନସୁଗାର ମାଫିଆ। ଉତ୍ତରପ୍ରଦେଶର ଜଣେ ବ୍ରାଉନସୁଗାର ମାଫିଆକୁ ରାଜଧାନୀର ଏୟାରଫିଲଡ ଥାନା ହାଇଟେକ ସୁନ୍ଦରପଦା ଛକରୁ ଗିରଫ କଲା କମିସନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ଆନନ୍ଦ କୁମାର ।
ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ସହ ନଗଦ ୭,୬୦୦ ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ହେବ ବୋଲି ସୂଚନା ମିଳିଛି ।
ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲା ପଚାୟନ ଗାଁ ରବୋଲିର ହୋଇଥିବା ବେଳେ ରାଜଧାନୀର କାରଗିଲ ବସ୍ତିରେ ରହି ବ୍ରାଉନସୁଗାର କାରବାର ଚଲାଉଥିଲା। ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲା ଅଭିଯୁକ୍ତ ଜଣଙ୍କ ।
ୟୁପିରୁ ଆସି ରାଜଧାନୀରେ ଡେରା ପକାଇଥିବା ଏହି ଅପରାଧୀଙ୍କୁ ନେଇ ଏବେ କମିସନରେଟ ପୋଲିସର ଚିନ୍ତା ବଢାଇଦେଇଛି । ତେବେ ଖାଲି ଆଜିର ଘଟଣା ନୁହେଁ ଏହା ପୂର୍ବରୁ ଅନେକ ରାଜ୍ୟ ବାହାର ଅପରାଧୀଙ୍କୁ ଅପରେସନ ହ୍ବାଇଟ ସ୍ପାଏଡର ଅଭିଯାନରେ ଗିରଫ କରାଯାଇଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ