ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା MSME କ୍ଷେତ୍ର ପାଇଁ ୧୬ ଶହ କୋଟି ଟଙ୍କା ଋଣ ପ୍ରଦାନ କରାଯିବ । ସମସ୍ତ ଜିଲ୍ଲା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକମାନଙ୍କ ସମୀକ୍ଷା ବୈଠକରେ ଏହା ସୂଚନା ଦିଆଯାଇଛି । MSME ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ମୋହନପୁରଠାରେ ଗଢ଼ିଉଠିଥିବା ଉଦ୍ୟୋଗ ମୋହନପୁର ମ୍ୟାଜିକ୍ ମିଲେଟ୍ ୟୁନିଟ୍ ଏବଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ କାର୍ଯ୍ୟ କରୁଥିବା ଫିରିଙ୍ଗିଆ ହଳଦୀ କ୍ଲଷ୍ଟରର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟଯୁକ୍ତ କରିବା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ।
MSME ବିଭାଗ କେତେକ ଆଖିଦୃଶିଆ କାମ କରୁଥିଲେ ହେଁ ତାହା ଲୋକଲୋଚନକୁ ଆସିପାରୁ ନଥିବା ଉପରେ ବିଭାଗୀୟ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣିକି ବିଭାଗ ଏ ଦିଗରେ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂପ୍ରତି ବିଜୁ ଏକ୍ସପ୍ରେସ୍ ୱେର ଚାରିଥାକିଆ ରାସ୍ତା ପଶ୍ଚିମ ଓଡ଼ିଶାର ଜୀବନରେଖା ହେବାକୁ ଯାଉଛି । ସେ ଦୃଷ୍ଟିରୁ ଏସବୁ ଜିଲ୍ଲାରେ ରାସ୍ତାର ଉଭୟ ପାର୍ଶ୍ବରେ ଶିଳ୍ପପୁଞ୍ଜ ନିମନ୍ତେ ପ୍ରକୃଷ୍ଟ ସୁଯୋଗ ରହିଛି । କଳାହାଣ୍ଡି ଜିଲ୍ଲାରେ ଉତ୍ପାଦିତ କପା ପଡ଼ୋଶୀ ବାଂଲାଦେଶକୁ ରତ୍ପାନୀ ହେଉଛି । ସର୍ବୋପରି ରାଜ୍ୟ ସରକାରଙ୍କ ୫-Tର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇପାରିଛି ।
ଗୃହମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କଳାହାଣ୍ଡି ଜିଲ୍ଲାରେ ରାଇସ୍-ବ୍ରାନ୍ ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ବାନ ଜଣାଇଛନ୍ତି । ଏଥି ସହିତ ତାଳଗୁଡ଼ ସଂସ୍ଥାର ଉତ୍ପାଦିତ ସାମଗ୍ରୀ ପାଇଁ କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଜାର ସୃଷ୍ଟି ହୋଇପାରିବ ସେ ଦିଗରେ କାମ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେବିକେ ଜିଲ୍ଲାକୁ ଦୃଷ୍ଟି ନିକ୍ଷେପ କରିବାକୁ ବହୁଲୋକେ ସରକାରୀ ତନ୍ତ୍ର ପାଖକୁ ଆସିବା ପରିବର୍ତ୍ତେ ସରକାରୀ ତନ୍ତ୍ର ଲୋକଙ୍କ ପାଖକୁ ଯିବା ଭଳି ସୁଯୋଗ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଯୁବବର୍ଗଙ୍କୁ ପ୍ରକୃତ ରୂପେ ଦିଗଦର୍ଶନ ଦେବା, ଶିଳ୍ପୀ, କାରିଗରମାନଙ୍କୁ ଚିହ୍ନଟ କରି ସେମାନଙ୍କ କୌଶଳକୁ ବୃଦ୍ଧି କରିବା ଦିଗରେ ବିଭାଗ କାର୍ଯ୍ୟ କରିବା ସମୟର ଆହ୍ବାନ ବୋଲି ସେ କହିଛନ୍ତି । ଏଣିକି ଆତିଥେୟତା ଓ ରେସ୍ତୋରାଁ ଶିଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ଆସୁଥିବା ଉଦ୍ୟୋଗୀମାନଙ୍କୁ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି । ବିଭାଗ ଚାରୋଟି ଆଇନକୁ କାର୍ଯ୍ୟକାରୀ କରୁଛି । ସେଗୁଡ଼ିକ ହେଲା ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍-ଓଡ଼ିଶା ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି, ଓଡ଼ିଶା ଶିଳ୍ପ ନୀତି । ଆମେ ପିଏମ୍ଇଜିପିରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରମୁଖ ଶାସନ ସଚିବ ଦର୍ଶାଇଛନ୍ତି । ଏହା ଛଡ଼ା ପ୍ରତି ଶନିବାର ଷ୍ଟାର୍ଟଅପ୍-କନକେଫ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ଗୁଡିକର କାର୍ଯ୍ୟଧାରାର ସମୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକୀୟ ସୁବିଧାସୁଯୋଗ ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଛି ।
ଏହି ଭର୍ଚୁଆଲ ବୈଠକରେ ଅଗ୍ରଣୀ ଉଦ୍ୟୋଗୀ ରମଣ ଥାପର, ହେମନ୍ତ ସୁଆର ଓ ପରାମର୍ଶଦାତା ବରୁଣ କାଶ୍ୟପ ଏବଂ ସୁଚିସ୍ମିତା ଏଫ୍ଏମ୍ସି ପ୍ରମୁଖ ଯୋଗଦେଇ ସେମାନଙ୍କ ଉଦ୍ୟୋଗ ପ୍ରତିଷ୍ଠାର ପ୍ରଗତି ବିବରଣୀ ପ୍ରଦାନ କରିଛନ୍ତି । ସେହିପରି କୋଭିଡ୍ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ଉପକ୍ରମ ଗୁଡ଼ିକ ଉପରେ ଶିଳ୍ପ ନିର୍ଦ୍ଦେଶକ ପି.କେ ଗୁପ୍ତା ଆଲୋକପାତ କରିଛନ୍ତି । ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲମ୍ ବିଭାଗର ସମସ୍ତ ଯୋଜନାଗୁଡ଼ିକୁ କ୍ରମାନ୍ବୟରେ ସମୀକ୍ଷା କରିଛନ୍ତି । ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ ଯୋଜନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୧୦୪୭ଟି ଉଦ୍ୟୋଗ ସୃଷ୍ଟି ହୋଇଛି । ପିଏମ୍ଇଜିପିରେ ବିଭିନ୍ନ ଉଦ୍ୟୋଗଗୁଡ଼ିକୁ ପ୍ରଦାନ କରାଯାଇଥିବା ରିହାତିର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଦେଶାଳୟକୁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଇସିଏଲ୍ଜିଏସ୍ ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲାର ସମୁଦାୟ ୩୧୨୧ କୋଟି ଟଙ୍କା ୧ ଲକ୍ଷ ୭୧ ହଜାର ଜଣ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି । ‘ସ୍ପୁର୍ତ୍ତି’ ଯୋଜନାରେ ବିଭିନ୍ନ ଜିଲ୍ଲାର ପ୍ରମୁଖ ଉତ୍ପାଦିତ ଦ୍ରବ୍ୟକୁ ନେଇ ଶିଳ୍ପପୁଞ୍ଜ ଗଠନ ନିମନ୍ତେ କାର୍ଯ୍ୟ ଚାଲୁରହିଛି । ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୭୨ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେହିପରି ଜିଆଇପି ଲକ୍ଷ୍ୟପୂରଣ ଦିଗରେ ସମସ୍ତ ଶିଳ୍ପକେନ୍ଦ୍ର ମହାପ୍ରବନ୍ଧକମାନେ ତତ୍ପର ହେବାକୁ ନିର୍ଦ୍ଦେଶକ ମହମ୍ମଦ ଆଲାମ୍ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରମୁଖ ଅଧିକାରୀ ଲିଙ୍ଗରାଜ ନାୟକ, ସମସ୍ତ ଜିଲ୍ଲା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ନିର୍ଦ୍ଦେଶାଳୟର ସମସ୍ତ ଅଧିକାରୀ ଅନ୍ଲାଇନ୍ ଜରିଆରେ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ