ଭୁବନେଶ୍ବର: ରାଜ୍ୟକୁ ମିଳିଛି ଆଉ ଏକ ଆଶ୍ବସ୍ତି ଖବର । ଦିଲ୍ଲୀ ନିଜାମୁଦ୍ଦିନର ତବଲିଗି ସମାବେଶରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ 15 ଜଣଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ମୋଟ 20 ଜଣ ଲୋକ ଓଡିଶାକୁ ଫେରିଥିବାବେଳେ ବାକି 5 ଜଣଙ୍କ ରିପୋର୍ଟକୁ ଅପେକ୍ଷା ରହିଛି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟରରେ ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ସମାବେଶରେ ଯୋଗ ଦେଇ ରାଜ୍ୟକୁ 20 ଜଣ ଫେରିଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ବାଲେଶ୍ବର, ଭଦ୍ରକ ଓ କଟକରେ ଥିବା ଆଶା କରାଯାଉଛି । ବିଶେଷ କରି ବାଲେଶ୍ବରରେ 10 ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବୁଧବାର 15 ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅର୍ଥାତ ଏମାନେ କୋରୋନା ସଂକ୍ରମିତ ନଥିବା ସ୍ପଷ୍ଟ ହୋଇଛି । ବାକି 5 ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରକାଶ କରିଛି ।
ତେବେ ଏହି ଖବର ଓଡିଶାବାସୀଙ୍କୁ ଆଶ୍ବସ୍ତ କରିଛି । କାରଣ ଏହି 20 ଜଣଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାର ସନ୍ଦେହ କରାଯାଉଛି । ପୂର୍ବରୁ ରାଜ୍ୟରେ ମୋଟ 4 ଜଣ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୁଧବାର ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।