ଭୁବନେଶ୍ବର: ଶେଷ ହେଲା କ୍ୟାବିନେଟ ବୈଠକ । ବୈଠକରେ ୧୩ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟରେ ୩୩୨୮ ଜଣ ବହୁ ଭାଷୀ ଶିକ୍ଷା ସହାୟକ ନିୟମିତ ହେବେ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ । ସେହିଭଳି ଲୋ' ଭୋଲଟେଜ୍ ସମସ୍ୟା ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ ଆରମ୍ଭ ହେବେ ।
ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ଏହାପରେ ୬ ବର୍ଷ ପରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ଆଦିବାସୀ ଅଧ୍ୟୁଷିତ ୧୬ଟି ଜିଲ୍ଲାରେ ବସବାସ କରୁଥିବା ଜନଜାତି ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ୩୩୨୮ ଜଣ ବହୁଭାଷୀ ଶିକ୍ଷା ସହାୟକମାନଙ୍କୁ ୨୦୧୩ ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ।
ଯେଉଁ ବହୁଭାଷୀ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବରେ ସେବା ପ୍ରଦାନ କରିଥିବେ ସେମାନେ କନିଷ୍ଠ ଶିକ୍ଷକ ଭାବରେ ପରିଗଣିତ ହେବେ । ସେହିପରି ଯେଉଁ ଯୋଗ୍ୟ ବହୁଭାଷୀ କନିଷ୍ଠ ଶିକ୍ଷକ ମାନେ ୩ ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବରେ ସେବା ପ୍ରଦାନ କରିଥିବେ ସେମାନେ ସହାୟକ ଶିକ୍ଷକ ହେବେ । ଏହି ଶିକ୍ଷକମାନଙ୍କର ଚାକିରୀ ନିୟମିତ ହେବାପରେ ସେମାନେ Odisha Elementary Education Rules, 1997 ଏବଂ ସମୟାନୁଯାୟୀ ସଂଶୋଧିତ ନିୟମ ଅଧିନରେ ପରିଚାଳିତ ହେବେ ।
ବାଲେଶ୍ବର ସାଳନ୍ଦୀ ବ୍ୟାରେଜ ପ୍ରକଳ୍ପରେ ଜଳ ସେଚନ ସୁବିଧା
ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବ୍ୟାରେଜ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ଵ କେନାଲର ୧୬.୦୮ କି.ମି. ଠାରୁ ୩୬,୫୪୭ କି.ମି. ମଧ୍ୟରେ ଅବସ୍ଥିତ ୯୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ୍ ଦ୍ଵାରା ଜଳସେଚନ ସୁବିଧା କରାଯିବ । ଏଥିପାଇଁ ୨ ସହ ୨୯କୋଟି ୮୭ ଲକ୍ଷ ୯୩ ହଜାର ୨୦୦ ଟଙ୍କାର ଓ ୧୨ ପ୍ରତିଶତ ଭାରରେ GST ବାବଦକୁ ୨୭ କୋଟି ୫୮ ଲକ୍ଷ ୫୫ ହଜାର ୧୮୪ ଟଙ୍କାର ଟେଣ୍ଡରକୁ ଅନୁମୋଦନ ହୋଇଛି ।
ଏହି ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ଜନିତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ କୃଷି ସଞ୍ଚନ ଯୋଜନା (PMKSY) ପାଣ୍ଠିରୁ ପ୍ରଦାନ କରାଯିବ ।
ଏହି ପ୍ରକଳ୍ପ ମାଧ୍ୟମରେ ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ଵ କେନାଲର ୧୬,୦୮ ୪.ମ ଠାରୁ ୩୬,୫୪୬ କି.ମି. ମଧ୍ୟରେ ଅବସ୍ଥିତ ୯୮୦୩ ହେକ୍ଟର ଚାଷଜମିକୁ ସମପରିମାଣରେ ଜଳସେଚିତ କରାଯାଇପାରିବ । ଭୂତଳ ପାଇପ୍ ମାଧ୍ୟମରେ ଜଳସେଚନ ଦ୍ବାରା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଏଡାଇ ଦିଆଯାଇପାରିବ । ଏହା ବ୍ୟତିତ ଏହି କାର୍ଯ୍ୟ ଦ୍ବାରା ଜଳ ଅପଚୟକୁ କମ୍ କରାଯିବା ସହିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ୍ କରାଯାଇପାରିବ ।
IOCL ସହ ବୁଝାମଣା ପତ୍ରକୁ ଗୁରୁତ୍ବ
ଭାରତୀୟ ତୈଳ ନିଗମ (IOCL), ପାରାଦ୍ବୀପ ତୈଳ ବିଶୋଧନାଗାର ଓ ରାଜ୍ୟସରକାରଙ୍କ ସହିତ ସ୍ବାକ୍ଷର ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ ବିଦ୍ୟୁତ ଶୁଳ୍କ ଛାଡ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛନ୍ତି । ଭାରତୀୟ ତୈଳ ନିଗମ (IOCL), ପାରାଦ୍ବୀପ ତୈଳ ବିଶୋଧନାଗାର କେନ୍ଦ୍ର ସରକାରଙ୍କର ନିଗମ ଜଗତସିଂହପୁର ଜିଲ୍ଲାର ପାରଦ୍ବୀପରେ ଦୁଇଟି MTPA ଅଶୋଧୀତ ତୈଳ ବିଶୋଧନାଗାର ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ । ଏହି ବୁଝାମଣା ପତ୍ରର ସର୍ଭେ ଅନୁଯାୟୀ ତୈଳ ଶିଳ୍ପକୁ ଉତ୍ସାହିତ କରିବା ପାଇଁ 5 ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଦେୟ ଛାଡ଼ କରିବା ପାଇଁ ବ୍ୟବସ୍ଥା ଥିଲା । ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ନିଗମକୁ ବୁଝାମଣା ପତ୍ରର ସର୍ଭେ ଅନୁସାରେ ପୁଞ୍ଜି ବିନିଯୋଗରେ ସହାୟତା କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନିଗମକୁ ମଧ୍ୟ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିବ ।
ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ବର୍ଗର ପୁନର୍ଗଠନ
ସେହିଭଳି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ବର୍ଗର ପୁନର୍ଗଠନର ପରବର୍ତ୍ତି ପଦକ୍ଷେପ ସ୍ବରୁପ ଓଡ଼ିଶା ପ୍ରାଣୀ ଚିକିତ୍ସା (ନିଯୁକ୍ତି ଓ ସେବା) ନିୟମାବଳୀ ୨୦୨୧ କ୍ୟାବିନେଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ତାହା କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଏହି ନିୟମାବଳୀ ୨୦୨୧ ପ୍ରଣୟନ ଦ୍ବାରା ପୁନର୍ଗଠିତ ପ୍ରାଣୀ ଚିକିତ୍ସା ସେବା ବର୍ଗରେ ମୂଳ ପଦବୀରେ ନିଯୁକ୍ତି କରାଯିବା ସହିତ ପଦୋନ୍ନତି ଭିତ୍ତିକ ପଦବୀ ଗୁଡ଼ିକ ପୂରଣ କରାଯାଇପାରିବ ଯାହା ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହାୟକ ହୋଇପାରିବ ।
OSJS ଓ OJS ନିୟମରେ ସଂଶୋଧନ
ଏହି କ୍ରମରେ OSJS ଓ OJS ନିୟମ, ୨୦୦୭କୁ ଅଧିକ ଅର୍ଥପୂର୍ଣ୍ଣ କରିବା ସହ ଜିଲ୍ଲା ବିଚାରପତି ଏବଂ ସିଭିଲ ଜଜ୍ କ୍ୟାଡରରେ ନ୍ୟାୟିକ ଅଧିକାରୀଙ୍କ ଆଇନଗତ ଏବଂ ପ୍ରଶାସନିକ କ୍ଷମତାକୁ ସୁଦୃଢ କରିବା ପାଇଁ, ଓଡ଼ିଶା ସୁପିରିଅର୍ ଜୁଡିସିଆଲ୍ ସର୍ଭିସ୍ ଏବଂ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ନିୟମ, ୨୦୦୭କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।
SCB ସମ୍ପ୍ରସାରଣ ପାଇଁ 888 କୋଟି
SCB ସମ୍ପ୍ରସାରଣ ପାଇଁ ରାଜ୍ୟ କ୍ୟାବିନେଟରେ ୮୮୮ କୋଟି ମଞ୍ଜୁର ହୋଇଛି । ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ତଥା ଚିକିତ୍ସାଳୟର ପୁନର୍ବିକାଶ ଓ ସଂପ୍ରସାରଣ ପାଇଁ ଏହି ୮୮୮ କୋଟି ମଞ୍ଜୁର ହୋଇଛି ।
ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଚରଣରେ ଟର୍ନକି (Turnkey) ଆଧାରରେ କର୍ମଚାରୀ ଆବାସିକ ଗୃହ ଓ ଛାତ୍ରବାସ ନିର୍ମାଣ ତଥା ତତ୍ ସମ୍ବନ୍ଧିତ ଭିତ୍ତଭୂମୀ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବିକାଶ କାର୍ଯ୍ୟନ୍ତ କାର୍ଯ୍ୟାନ୍ବୟନ ପାଇଁ M/s NCC Ltd. ର ସର୍ବନିମ୍ନ ୮୮୮ କୋଟି ୫୦ ଲକ୍ଷ ୩୦୦ ଟଙ୍କାର ଟର୍ନ କି ଟେଣ୍ଡରକୁ (Turnkey Tender) ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି । ଉଚ୍ଚ କାର୍ଯ୍ୟ ୨୪ ମାସ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଜରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ