ଭୁବନେଶ୍ବର: ମୋ ସ୍କୁଲ୍ ଅଭିଯାନ’ର ୩୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୧୨୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ହୋଇଛି । ଗତ ମାସରେ ଅଭିଯାନରେ ଯୋଡ଼ି ହୋଇଛନ୍ତି ୧୮ ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ । ଏହା ସହ ‘ମୋ ସ୍କୁଲ୍’ରେ ଅନ୍ତର୍ଭୁକ୍ତ ହୋଇଛି ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲ୍ । ବାଲେଶ୍ୱରରେ ପୁରାତନ ଛାତ୍ରଛାତ୍ରୀ ସର୍ବାଧିକ ଅନୁଦାନ ପ୍ରଦାନ କରିଛନ୍ତି ।
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ସ୍କୁଲ୍ ଓ ବ୍ଲକ୍ସ୍ତରରେ କାର୍ଯ୍ୟକରିବେ ‘ମୋ ସ୍କୁଲ୍’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସେ୍ୱଚ୍ଛାସେବୀ । ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ବେଚ୍ଛାସେବୀ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦେବେ । ଏଥିପାଇଁ ‘ମୋ ସ୍କୁଲ୍ ଅଭିଯାନ’ର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ କରି ୬୯ଟି ବ୍ଲକ୍ରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଆଗାମୀ ଦିନରେ ‘ମୋ ସ୍କୁଲ୍’ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରିବାକୁ ବ୍ଲକ୍ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି । ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ର ୩୩ତମ କାର୍ଯ୍ୟନିର୍ବାହୀ ପରିଷଦରେ ନିଷ୍ପତ୍ତି ନିଆଯାଇଛି ।
ଭର୍ଚୁଆଲ୍ ମୋଡ୍ରେ ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଆର୍ଥିକ ସ୍ୱଚ୍ଛତା ବଜାୟ ରଖିବାକୁ PFMS ଏବଂ SNA ଭଳି ମନିଟରିଂ ସିଷ୍ଟମ୍ର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ଭଳି ସଂଗଠନ ସହ ‘ମୋ ସ୍କୁଲ୍’ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୮ ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୬ କୋଟି ୨୪ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ CSR(Corporate Soicial Responsibility) ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।
ବାଲେଶ୍ୱରରେ ସର୍ବାଧିକ ୧ କୋଟି ୮୦ ଲକ୍ଷ, ଖୋର୍ଦ୍ଧାରେ ୫୨ ଲକ୍ଷ ୫୯ ହଜାର, ଅନୁଗୋଳରେ ୩୧ ଲକ୍ଷ ୭୨ ହଜାର, ଗଞ୍ଜାମରେ ୩୦ ଲକ୍ଷ ୧୧ ହଜାର ଏବଂ ବରଗଡ଼ରେ ୨୭ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୬୧ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲ୍ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧ ଏହି ସଫଳତା ହାସଲ କରିଛି । ପୂର୍ବରୁ ଅନୁଗୋଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ୍’ ସହ ଯୋଡ଼ି ହୋଇଥିଲା ।
ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ୧୦୦୦ଟି ସ୍କୁଲ୍ରେ ‘କୋଡ୍ କ୍ଲବ୍’ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିିତ କରାଯାଇଥିବା ‘ମୋ ସ୍କୁଲ୍’ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ