ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର 18ଟି ଜିଲ୍ଲାରୁ 112 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3498ରେ ପହଞ୍ଚିଛି । ଅନ୍ୟପକ୍ଷରେ 1131ଟି ସକ୍ରିୟ ମାମଲା ରହିଥିବା ବେଳେ 2354 ଜଣ ସୁସ୍ଥ ହେଲେଣି । ସେହିପରି 10 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡ଼ିଆରଏଫ 21 କର୍ମଚାରୀ ରହିଛନ୍ତି । ଯାହାଦ୍ବାରା ପଜିଟିଭ ଏନଡିଆରଏଫ ଓ ଅଗ୍ନିଶମ କର୍ମଚାରୀଙ୍କ ସଂଖ୍ୟା 136କୁ ବୃଦ୍ଧି ପାଇଛି ।
ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରୁ 107 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 5 ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରେ 2 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରିରେ 3 ଜଣ, କେନ୍ଦୁଝରରେ 5 ଜଣ, ଯାଜପୁରରେ 3 ଜଣ, ଖୋର୍ଦ୍ଧାରେ 8 ଜଣ, ଅନୁଗୁଳରେ 6 ଜଣ, ଦେଓଗଡରେ 2 ଜଣ, କଟକରେ 3 ଜଣ, ଗଞ୍ଜାମରେ 6 ଜଣ, ସୁନ୍ଦରଗଡରେ 4 ଜଣ, ପୁରୀରେ 5 ଜଣ, ବୌଦ୍ଧରେ 3 ଜଣ, ଗଜପତିରେ 5 ଜଣ, ସମ୍ବଲପୁରରେ 5 ଜଣ, ମୟୂରଭଞ୍ଜରେ 7 ଜଣ, ବାଲେଶ୍ବରରେ 5 ଜଣ, ନୟାଗଡରେ 4 ଜଣ ଓ ଏନଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗରୁ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ 1ଲକ୍ଷ 92ହଜାର 5ଶହ 76ଟି ନମୁନା ଟେଷ୍ଟ ହୋଇଥିବା ବେଳେ ସୁସ୍ଥ ହାର 67 ପ୍ରତିଶତ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ