ଭଦ୍ରକ: ବ୍ୟଞ୍ଜନ ପ୍ରସ୍ତୁତି ପ୍ରଣାଳୀ ସହ ପରିଚାଳନା କ୍ଷେତ୍ରରେ ବିଶ୍ବସ୍ତରୀୟ ମାନତା (world association of master chefs) ପାଇଛନ୍ତି ସୀତାରାମ ନାୟକ। ୱାର୍ଲ୍ଡ ଆସୋସିଏସନ ଅଫ ମାଷ୍ଟର ସେଫ ପକ୍ଷରୁ ଅଷ୍ଟ୍ରେଲିଆରେ ସୀତାରାମଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସୀତାରାମ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅର୍ନ୍ତଗତ କୋହ୍ଲ ଗ୍ରାମର ସ୍ବର୍ଗତ ପୁରୁଷୋତମ ନାୟକଙ୍କ ପୁଅ । ତାଙ୍କର ଏହି ବିଶ୍ବସ୍ତରୀୟ ମାନ୍ୟତା ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି ।
![ଓଡିଆ ସେଫଙ୍କୁ ବିଶ୍ୱ ସ୍ତରୀୟ ସେଫ ମାନ୍ୟତା](https://etvbharatimages.akamaized.net/etvbharat/prod-images/od-bha-02-world-class-chef-visual-od10030-rtu_23122021224814_2312f_1640279894_585.jpg)
ସୀତାରାମଙ୍କର ଏକ ମଧ୍ୟବିତ ପରିବାରରେ ଜନ୍ମ । ମ୍ୟାଟ୍ରିକ୍ ପାଠ ପଢା ସରିବା ପରେ ଶିକ୍ଷା ତଥା ରୋଜଗାର ଅନ୍ବେଷଣରେ କୋଲକାତା ଚାଲି ଯାଇଥିଲେ । ସେଠାରେ ଯୁକ୍ତ ଦୁଇପଢା ସରିବା ପରେ ବ୍ୟଞ୍ଜନ ପ୍ରସ୍ତୁତି ପ୍ରଣାଳୀ ସହ ପରିଚାଳନାରେ ଦୁଇବର୍ଷିଆ ଡିପ୍ଲୋମା କୋର୍ସ କରିଥିଲେ । ପରେ 15 ବର୍ଷ କାଳ ବିଭିନ୍ନ ତାରକା ରେଷ୍ଟୁରାଣ୍ଟ ଓ ହୋଟେଲରେ କାମ କରିବା ପରେ ସୂଦୁର ଦୁବାଇରୁ ତାଙ୍କୁ ଚାକିରିର ସୁଯୋଗ ମିଳିଥିଲା । ସେଠାରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟକରି ସଫଳତା ହାସଲ କରିବା ସହିତ ପ୍ରାୟ 15 ଟି ଦେଶର ବ୍ୟଞ୍ଜନ ପ୍ରସ୍ତୁତି ଓ ପ୍ରଣାଳୀ ପ୍ରସଙ୍ଗରେ ପାରଦର୍ଶିତା ହାସଲ କରିଥିଲେ । ସେଠାରୁ ଫେରିବା ପରେ କେରଳ, କର୍ଣ୍ଣାଟକ ରାଜ୍ୟରେ ବିଭିନ୍ନ ନାମିଦାମୀ ପଞ୍ଚତାରକା ହୋଟେଲରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଆତିଥିଙ୍କୁ ଭଗବାନମାନନ୍ତି ସୀତାରାମ । ସେମାନଙ୍କୁ ସେବା ଯୋଗାଇ ଦେବାକୁ ପରମ କର୍ତ୍ତବ୍ୟ ଭାବନ୍ତି ।
ବିଶ୍ବ ସ୍ତରୀୟ ମାନ୍ୟତା ପାଇବା ପୂର୍ବରୁ ସୀତାରାମ ବହୁ ସଂସ୍ଥାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଇଣ୍ଡିଆନ କୁଲିନାରୀ ଫାର୍ମ, ଇଣ୍ଡିଆନ ଫେଡେରସନ ଅଫ କୁଲିନାରୀ ଆସୋସିଏସନ୍, ୱାର୍ଲ୍ଡ ଆସୋସିଏସନ ଅଫ ସେଫ ସୋସାଇଟି, ଆନ୍ତର୍ଜାତୀୟ ସେଫ କନପ୍ରାଟେନିଟ, ଫୁଡ ସେପଟି ଷ୍ଟାଣ୍ଡାର୍ଡ ଅଥୋରଟି ଅଫ ଇଣ୍ଡିଆ,ଇଣ୍ଟରନେସନାଲ ମାଷ୍ଟର ସେଫ କ୍ଲବ, ଏସିଆନ ସେଫ ସୋସାଇଟି ଇଣ୍ଟରନେସନାଲ, ସେଫ ଆସୋସିଏସନ ଅଫ ମହାରାଷ୍ଟ୍ର, ବାରାଣାସୀ ସେଫ ଆସୋସିଏସନ ଓ ବାଙ୍ଗଲାଦେଶ ସେଫ ଅର୍ଗାନାଇଜେସନ୍ ଆଦିରୁ ଏହି ବ୍ୟଞ୍ଜନ ପ୍ରସ୍ତୁତି ପ୍ରଣାଳୀ ସହ ପରିଚାଳନା କ୍ଷେତ୍ରରେ ସୀତାରାମଙ୍କୁ ସମ୍ବର୍ଦ୍ଧନା ମିଳିଛି । ଏକ ମଧ୍ୟବିତ ପରିବାରରୁ ଜନ୍ମ ହୋଇ ମାତ୍ର 47 ବର୍ଷ ବୟସରେ ସୀତାରାମ ନିଜର କାର୍ଯ୍ୟ କ୍ଷେତ୍ରରେ ବିଶ୍ବ ସ୍ତରରେ ଏକ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ସାଧନା କିଛି ସହଜ ନଥିଲା । ସ୍ବପ୍ନକୁ ପୂରଣ କରିବାକୁ କଷ୍ଟ ସହିଥିଲେ ସୀତାରାମ । ଆଉ କଷ୍ଟ ସହିଲେ ହିଁ ସଫଳତା ମିଳିବ ସେଥିଲେ ସନ୍ଦେହ ନାହିଁ ।
![ଓଡିଆ ସେଫଙ୍କୁ ବିଶ୍ୱ ସ୍ତରୀୟ ସେଫ ମାନ୍ୟତା](https://etvbharatimages.akamaized.net/etvbharat/prod-images/od-bha-02-world-class-chef-visual-od10030-rtu_23122021224814_2312f_1640279894_372.jpg)
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ